୩୦ ଦିନରେ ପହଞ୍ଚିଲା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରେ ସହର ପରିକ୍ରମା

Jun 03, 2026 - 02:40

ଛତ୍ରପୁର, ୨।୬ (ଦିଲ୍ଲୀପ ସାମଲ): ଛତ୍ରପୁରର ଆରାଧ୍ୟା ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ମଙ୍ଗଳବାର ଯାତ୍ରାର ୩୦ତମ ଦିନ ଅବସରରେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ବଡ଼ପୁଅ ଯୁବ ସମାଜସେବୀ ସୁଧୀର କୁମାର ପଟ୍ଟନାୟକ ଓ ତାଙ୍କ ପତ୍ନୀ ସମାପ୍ତି ପଟ୍ଟନାୟକଙ୍କ ପକ୍ଷରୁ ସ୍ୱତନ୍ତ୍ର ପୂଜା ଆୟୋଜିତ ହୋଇଥିଲା।

ରୀତିନୀତି ଅନୁସାରେ ଉଭୟେ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ମାଙ୍କୁ ପୂଜାର୍ଚନା କରିବା ସହିତ ନିମନ୍ତ୍ରଣ କରିଥିଲେ। ପରେ ମା ତାଙ୍କ ଘର ନିକଟକୁ ପହଞ୍ଚି ସ୍ୱତନ୍ତ୍ର ଭୋଗ ଗ୍ରହଣ କରିଥିଲେ।

ପରେ ବିରାଟ ପଟୁଆରରେ ମା ଅସ୍ଥାୟୀ ମଣ୍ଡପରୁ ବାହାରି ଘଟ ସହିତ ନଗର ପରିକ୍ରମା କରିଥିଲେ। ଏହି ପଟୁଆରରେ ଆନ୍ଧ୍ର କାଳୀ, ଖଡ଼କପୁର କାଳୀ, ପାଇକ ଆଖଡ଼ା, ଧୂମଡ଼ାଡକା, ସିଂହବାଜା, ଘୋଡ଼ାବାଜା ସହିତ ରାଜ୍ୟ ଓ ରାଜ୍ୟବାହାରର ୩୦ଟି ଦଳର କଳାକାରମାନେ ଯୋଗଦେଇଥିଲେ।

ମଧ୍ୟାହ୍ନ ସମୟରେ ସୁଧୀର କୁମାର ପଟ୍ଟନାୟକଙ୍କ ପକ୍ଷରୁ ହଜାର ହଜାର ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା।

ସନ୍ଧ୍ୟାବେଳେ ଅସ୍ଥାୟୀ ମଣ୍ଡପରେ ମାଙ୍କ ଆଳତି ଦର୍ଶନ ପାଇଁ ସୁଧୀର ପଟ୍ଟନାୟକ ଓ ତାଙ୍କ ପତ୍ନୀଙ୍କ ସହ ବହୁ ମହିଳା, ମନ୍ୟଗଣ୍ୟ ବ୍ୟକ୍ତି ଓ ଯାତ୍ରା କମିଟିର ମ୍ୟାନେଜର ସିଏଚ୍‌. ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଟ ମ୍ୟାନେଜର ଏମ୍‌. ସମରେନ୍ଦ୍ର ସେନାପତି ଉପସ୍ଥିତ ଥିଲେ। ଏହି ସମୟରେ ପ୍ରବଳ ଜନସମାଗମ ଦେଖାଯାଇଥିଲା।

ଯାତ୍ରା ଅବସରରେ ଛତ୍ରପୁର ଅନସ୍ଲୋ ଖେଳ ପଡ଼ିଆରେ ରାମଦୋଳି ଓ ମିନା ବଜାର ଖୋଲାଯାଇଥିବାବେଳେ ଲୋକମାନେ ଏହାର ମନୋରଞ୍ଜନ ଉଠାଉଥିବା ଦେଖିବାକୁ ମିଳିଛି।

ମାଙ୍କ ଯାତ୍ରା ପାଇଁ ସାରା ସହର ଚଞ୍ଚଳ ହୋଇଯାଇଥିବାବେଳେ ସମସ୍ତ ପ୍ରବେଶ ପଥକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଆଇନ-ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

Dharitri – Odisha’s No.1 Odia Daily

The post ୩୦ ଦିନରେ ପହଞ୍ଚିଲା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରେ ସହର ପରିକ୍ରମା appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।