ଭୁବନେଶ୍ୱର ପହଞ୍ଚିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କ ସହ ରାଜ୍ୟ ବିଜେପି ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରେ ବରଗଡ଼ ବିଧାୟକ,ବରିଷ୍ଠ ବିଜେପି ନେତା,ସାଂସଦଙ୍କ ସମେତ ଦଳୀୟ କର୍ମୀ ପହଞ୍ଚି ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ ୧୧ଟାରେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।
ସେପଟେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସବୁଠି ଏବେ ତାଙ୍କ ତ୍ୟାଗ ଓ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ।
ଛାତ୍ରଛାତ୍ରୀ ଏବଂ ଯୁବପୀଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ନିଜର ଆବେଗପୂର୍ଣ୍ଣ ଇସ୍ତଫା ପତ୍ରରେ ସେ ଦେଶର ଯୁବବର୍ଗଙ୍କ ସ୍ୱାର୍ଥ ରକ୍ଷାକୁ ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ସାରା ଦେଶର ଯୁବସମାଜକୁ ଗଭୀର ଭାବେ ଆନ୍ଦୋଳିତ କରିଛି । ଜଣେ ଦକ୍ଷ ନେତା ଭାବରେ ବ୍ୟକ୍ତିଗତ କ୍ଷମତା ଠାରୁ ଦେଶର ଭବିଷ୍ୟତ ଗଢୁଥିବା ଯୁବପିଢିଙ୍କ ସ୍ୱାର୍ଥକୁ ଆଗରେ ରଖିବା ଘଟଣାକୁ ଯୁବ ସମାଜ ଖୁବ ପସନ୍ଦ କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଏହି ଗୋଟିଏ ଇସ୍ତଫା ପୋଷ୍ଟ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ସୋସିଆଲ ମିଡିଆରେ ସମର୍ଥନ ବଢୁଛି । ଧର୍ମେନ୍ଦ୍ରଙ୍କ ଗୋଟିଏ ପୋଷ୍ଟକୁ ୪ କୋଟି ୬୮ ଲକ୍ଷ ଲୋକ ଦେଖିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।