ଭାରତ ଉପରେ ପୁଣି ଟ୍ରମ୍ପଙ୍କ ଟାରିଫ୍‌ ଝଟକା! ୧୬ ଦେଶକୁ ଟାର୍ଗେଟ୍‌, ଖୁବ୍‌ଶୀଘ୍ର ଆସିପାରେ ନୂଆ ଘୋଷଣା

Nov 25, 2026 - 16:18
ଭାରତ ଉପରେ ପୁଣି ଟ୍ରମ୍ପଙ୍କ ଟାରିଫ୍‌ ଝଟକା! ୧୬ ଦେଶକୁ ଟାର୍ଗେଟ୍‌, ଖୁବ୍‌ଶୀଘ୍ର ଆସିପାରେ ନୂଆ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଭାରତ ଉପରେ ପୁଣି ଲାଗିପାରେ ଆମେରିକାର ଅତିରିକ୍ତ ଟାରିଫ୍‌। ଭାରତ ସମେତ ଚୀନ୍‌, ଜାପାନ, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘର ମୋଟ ୧୬ଟି ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ନୂଆ ଶୁଳ୍କ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛି ଟ୍ରମ୍ପ ପ୍ରଶାସନ। ଶିଳ୍ପ କ୍ଷେତ୍ରକୁ ସରକାରୀ ସବସିଡି ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ପ୍ରଦାନ କରି ଆମେରିକୀୟ କମ୍ପାନିଗୁଡ଼ିକୁ କ୍ଷତି ପହଞ୍ଚାଯାଉଥିବା ଅଭିଯୋଗ କରିଛି ୱାଶିଂଟନ୍‌। ଆମେରିକାର ଅଭିଯୋଗ ଅନୁସାରେ, ବିଭିନ୍ନ ଦେଶର ସରକାର ନିଜ ଶିଳ୍ପକୁ ସବସିଡି ଓ ଅନ୍ୟାନ୍ୟ ସରକାରୀ ସହାୟତା ଦେଉଥିବାରୁ ଅତ୍ୟଧିକ ଉତ୍ପାଦନ ହେଉଛି। ଏହାଦ୍ୱାରା ଉକ୍ତ ଦେଶର କମ୍ପାନିଗୁଡ଼ିକ ଶସ୍ତା ଦରରେ ଆମେରିକା ସମେତ ବିଶ୍ୱ ବଜାରକୁ ସାମଗ୍ରୀ ରପ୍ତାନି କରୁଛନ୍ତି। ଫଳରେ ଆମେରିକୀୟ ଉତ୍ପାଦନକାରୀ କମ୍ପାନିଗୁଡ଼ିକ ପ୍ରତିଯୋଗିତାରେ କ୍ଷତି ସହୁଛନ୍ତି ବୋଲି ଟ୍ରମ୍ପ ପ୍ରଶାସନ ଯୁକ୍ତି ବାଢ଼ିଛି।

ଏହି ପ୍ରସଙ୍ଗରେ ଆମେରିକାର ବାଣିଜ୍ୟ ପ୍ରତିନିଧି (USTR) ଜେମିସନ୍‌ ଗ୍ରୀର୍‌ଙ୍କ କାର୍ଯ୍ୟାଳୟ ଗତ ମାର୍ଚ୍ଚ ୧୧ରୁ ତଦନ୍ତ ଆରମ୍ଭ କରିଥିଲା। ୧୯୭୪ର ବାଣିଜ୍ୟ ଆଇନର ସେକ୍ସନ୍‌ ୩୦୧ ଅନୁଯାୟୀ ଚାଲିଥିବା ଏହି ତଦନ୍ତର ରିପୋର୍ଟ ନଭେମ୍ବର ୨୫ ସୁଦ୍ଧା ପ୍ରକାଶ ପାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଏହା ପରେ ନୂଆ ଟାରିଫ୍‌ ନେଇ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି।

ଭାରତକୁ ଲାଗିପାରେ ଅଧିକ ଶୁଳ୍କ !

ଏହି ନୂଆ ଟାରିଫ୍‌ ଯୋଜନାରେ ଭାରତ ଉପରେ ଅଧିକ ଶୁଳ୍କ ଲାଗିବାର ଆଶଙ୍କା ରହିଛି। ଆମେରିକା ସହ ବାଣିଜ୍ୟ ଚୁକ୍ତି କରିଥିବା ୟୁରୋପୀୟ ସଂଘ, ଜାପାନ ଓ ଦକ୍ଷିଣ କୋରିଆ ଉପରେ ମୋଟ ଶୁଳ୍କ ହାର ୧୫ ପ୍ରତିଶତ କିମ୍ବା ତା’ଠାରୁ କମ୍‌ ରହିପାରେ। ଅନ୍ୟପକ୍ଷରେ ଭାରତ ଓ ଭିଏତନାମ ଉପରେ ଅଧିକ ଶୁଳ୍କ ଲାଗିବାର ସମ୍ଭାବନା ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଚୀନ୍‌ ଉପରେ ତୁଳନାତ୍ମକ ଭାବେ ଅଧିକ ଟାରିଫ୍‌ ଲାଗିପାରେ ବୋଲି ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ କେଉଁ ଦେଶ ଉପରେ କେତେ ପ୍ରତିଶତ ଶୁଳ୍କ ଲାଗିବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

କେଉଁ ସାମଗ୍ରୀ ଉପରେ ଲାଗିପାରେ ଟାରିଫ୍‌?

ପ୍ରସ୍ତାବିତ ନୂଆ ଶୁଳ୍କ ଅଧିକାଂଶ ରପ୍ତାନି ସାମଗ୍ରୀ ଉପରେ ଲାଗୁ ହୋଇପାରେ। ତେବେ ଜାତୀୟ ସୁରକ୍ଷା ଆଧାରରେ ପୂର୍ବରୁ ଟାରିଫ୍‌ ଲାଗିଥିବା ଷ୍ଟିଲ୍‌, ଆଲୁମିନିୟମ୍‌ ଓ ଅଟୋମୋବାଇଲ୍‌ ଭଳି କିଛି ଉତ୍ପାଦକୁ ଏଥିରୁ ବାଦ୍‌ ଦିଆଯାଇପାରେ। ଏହାସହ ଆମେରିକା ପୂର୍ବରୁ ବାଧ୍ୟତାମୂଳକ ଶ୍ରମ ଆଇନର ଅନୁପାଳନକୁ ନେଇ ୬୦ଟି ବାଣିଜ୍ୟିକ ସହଯୋଗୀ ଦେଶ ଉପରେ ୧୦ରୁ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଘୋଷଣା କରିଥିଲା। ନୂଆ ଶୁଳ୍କ ଲାଗୁ ହେଲେ ଏହା ପୂର୍ବରୁ ଥିବା ଶୁଳ୍କ ସହ ଯୋଡ଼ି ହୋଇପାରେ। ଆମେରିକାର ଏହି ପଦକ୍ଷେପ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଏବେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଜାରି ରହିଥିବାବେଳେ ନୂଆ ଟାରିଫ୍‌ ଯୋଜନାକୁ ନେଇ ଭାରତୀୟ ରପ୍ତାନିକାରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)