ବ୍ଲୁ ଲେକ୍ରୁ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
ନନ୍ଦିଘୋଷ ବ୍ୟୁରୋ : ୨୪ ଘଣ୍ଟାର ଅପରେସନ ପରେ ବ୍ଲୁ ଲେକ୍ରୁ ମିଳିଲା ୨ ଛାତ୍ରଙ୍କ ମୃତଦେହ। ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ନିକଟସ୍ଥ ପରିତ୍ୟକ୍ତ ଖାଦାନ ବ୍ଲୁ ଲେକ୍ରେ ଘଟିଥିଲା ଅଭାବନୀୟ ଘଟଣା। ଦୀର୍ଘ ୨୪ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଗଭୀର ପାଣିରୁ ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଛ ଉପରୁ ପ୍ରାୟ ୨୦୦ ଫୁଟ ଗଭୀର ପାଣିକୁ ଡେଇଁବା ପରେ ଦୁଇ ଛାତ୍ର ବୁଡ଼ି ପ୍ରାଣ ହରାଇଥିଲେ। ସେମାନଙ୍କ ସହ ଥିବା କେନ୍ଦୁଝର ଅଞ୍ଚଳର ରୋଶନ ନାୟକ ଅଳ୍ପକେ ବର୍ତ୍ତି ଯାଇଥିଲେ।
ମୃତକ ଦୁଇ ଛାତ୍ର ହେଲେ ଭଦ୍ରକ ଅଞ୍ଚଳର ଅପୂର୍ବ ରଞ୍ଜନ ପାତ୍ରଙ୍କ ପୁଅ ଅଂଶୁମାନ ପାତ୍ର ଏବଂ ବାରିପଦା ଅଞ୍ଚଳର ଅଜିତ କୁମାର ପାତ୍ରଙ୍କ ପୁଅ ଭବେଶ ପାତ୍ର। ଉଭୟ ବାଲେଶ୍ୱର ଫକୀର ମୋହନ କଲେଜର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଘଟଣା ପରେ ନୀଳଗିରି ଓ ରେମୁଣା ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଏବଂ ସ୍କୁବା ଡାଇଭରଙ୍କ ମିଳିତ ଟିମ୍ ଗଭୀର ପାଣିରେ ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ ଚଳାଇଥିଲେ। ଶେଷରେ ଉଭୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।
ଘଟଣାସ୍ଥଳରେ ହଜାର ହଜାର ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପରିତ୍ୟକ୍ତ ଖାଦାନ ଚାରିପାଖରେ ସୁରକ୍ଷା ବାଡ଼ କିମ୍ବା ସତର୍କତା ସୂଚନା ଫଳକ ନଥିବାରୁ ପ୍ରଶାସନିକ ଉଦାସୀନତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ନୀଳଗିରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

