ବିଳମ୍ବିତ ରାତିରେ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

Jul 24, 2026 - 14:23
ବିଳମ୍ବିତ ରାତିରେ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ :  ପେପର ଲିକ୍ ମାମଲାରେ ଆଇନକୁ ଆହୁରି କଠୋର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପେପର ଲିକ୍ ମାମଲାକୁ ନେଇ ଜନ୍ତରମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ପ୍ରସଙ୍ଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ୨୪ ଘଣ୍ଟା ମଧ୍ୟରେ ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଜାରି କରିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତି ୧୧:୫୨ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମିନିଟ୍ ୫୫ ସେକେଣ୍ଡର ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ । ଏହା କୌଣସି ସାଧାରଣ ଭିଡିଓ ନଥିଲା ।  ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମୋବାଇଲ୍ ଫୋନ୍‌ର ସେଲ୍ଫି କ୍ୟାମେରା ବ୍ୟବହାର କରିଥିଲେ ଏବଂ ଭିଡିଓଟିକୁ ପୋର୍ଟ୍ରେଟ୍ ମୋଡ୍‌ରେ ସୁଟ୍ କରି ଆନ୍ଦୋଳନରତ ଛାତ୍ରଙ୍କ ଉଦ୍ଦ୍ୟେଶରେ ବାର୍ତ୍ତା ଦେଇଛନ୍ତି  । 

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ସପ୍ତାହରେ ସଂସଦରେ ଏକ ବିଲ୍ ଆଗତ କରାଯିବ । ଯେଉଁଥିରେ ପେପର ଲିକ୍ ମାମଲା ବିରୋଧରେ କଠୋର ବ୍ୟବସ୍ଥା ସାମିଲ ରହିବ । ଏଥିସହ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଡ୍ରାପ୍ଟ ବିଲ ଉପରେ ଆଲୋଚନା ହେବ ଏବଂ ପ୍ରସ୍ତାବିତ ଆଇନକୁ ଚୂଡାନ୍ତ କରାଯିବ ବୋଲି ମଧ୍ୟ ସେ ତିନି ମିନିଟର ଏକ ଭିଡିଓରେ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଶୁକ୍ରବାର କ୍ୟାବିନେଟ୍ ପେପର ଲିକ୍ ପ୍ରସଙ୍ଗ ଉପରେ ଆଲୋଚନା କରିବ ଏବଂ କ୍ୟାବିନେଟ୍ ସହକର୍ମୀଙ୍କ ପରାମର୍ଶ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯିବ। ସୋମବାର ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେବା ପରେ  ନିଟ୍ ପେପର ଲିକ୍ ସମ୍ବନ୍ଧୀୟ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ସହିତ ଏକ ବିଲ୍ ଆଗତ କରାଯିବ ଏବଂ ଆମେ ଏହାକୁ ଯଥାଶୀଘ୍ର ପାରିତ କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପେପର ଲିକ୍ କୌଣସି ଛୋଟ ସମସ୍ୟା ନୁହେଁ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପାଇଁ ଏପରି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ତେଣୁ ନିଟ୍ ପେପର ଲିକ୍‌ ସାମ୍ନାକୁ ଆସିବା ପରଠାରୁ ଅନେକ କଠୋର ପଦକ୍ଷେପ ନିଆଯାଇଛି । ସମସ୍ତ ପେପର ଲିକ୍ ମାମଲାରେ ଦୋଷୀଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଗତକାଲି ପୋଷ୍ଟ କରିଥିବା ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ  “ମେରେ ପ୍ୟାରେ ଦେଶବାସୀ” କିମ୍ବା “ମିତ୍ରୋ” (ବନ୍ଧୁ) ବୋଲି କହିବା ପରିବର୍ତ୍ତେ ଏଥର ସେ ଫ୍ରେଣ୍ଡ୍ସ କହି ସମ୍ବୋଧନ କରିଥିଲେ । “ମିତ୍ରୋ” ରୁ “ବନ୍ଧୁ” କୁ ଏହି ପରିବର୍ତ୍ତନ ଆନ୍ଦୋଳନରତ ଛାତ୍ର Gen Z ଙ୍କୁ ଆକର୍ଷିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।ବୋଲି କେହି କେହି ମତବ୍ୟକ୍ତ କରୁଛନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।