ବିରାଜିଲେ ଜଗତ ଜନନୀ: ଉତ୍ସବମୁଖର ଗାଁ ଠୁ ସହର
ନନ୍ଦିଘୋଷ ବ୍ୟୁରୋ: ବିରାଜିଲେ ମହାମାୟା । ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା । ଚକ୍ଷୁଦାନ ପରେ ହୋମଯଜ୍ଞରେ କମ୍ପିଲା ମଣ୍ଡପ ପରିସର । ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ବିଭିନ୍ନ ମଣ୍ଡପରେ ଆଜିଠାରୁ ଆରମ୍ଭ ହୋଇଛି ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜା । ଏହାରି ଭିତରେ ଚଳିତବର୍ଷ ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାରରେ ପର୍ବତରେ ଶୈବପୀଠ ସହ ଭିତରେ ସର୍କସ ଥିମ୍ ତୋରଣରେ ପୂଜା ପାଉଛନ୍ତି ମାଆ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସିସିଟିଭି ସହ ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ସେହିଭଳି ବମିଖାଲ ଦୁର୍ଗାପୂଜା ସମିତି ପକ୍ଷରୁ ପୂଜାକୁ ଅଧିକ ଆକର୍ଷଣୀୟ ପାଇଁ ଦୁବାଇ ଥିମ୍ ତୋରଣ ସହ ଭିତରେ ଚାନ୍ଦି ରୁପାରେ ସଜ୍ଜା ଯାଇଛି । ଭସାଣୀରେ କମିଟି ପକ୍ଷରୁ ଏଥର ଆକର୍ଷଣୀୟ ଟ୍ରେନ୍ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ସେପଟେ ଦୁର୍ଗାପୂଜା ପାଇଁ କମ୍ପୁଛି କଟକ । ବିଭିନ୍ନ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ ଦୁର୍ଗା ଓ ଶିବ ପାର୍ବତୀ । କିନ୍ତୁ କଟକ କଟକର ବାଖରାବାଦ୍ ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଛି ଅଭନବ ପୂଜା । ଏଠାରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ଭାରତ ମାତା । ଅନ୍ୟପଟେ ସମ୍ବଲପୁର ସହରରେ ମହାଆଡ଼ମ୍ବରରେ ଚାଲିଛି ଜଗତଜନନୀଙ୍କ ପୂଜା । ସହରର ପ୍ରମୁଖ ଦୁର୍ଗାପୂଜା କମିଟି ଧନୁପାଲି, ଗୋବିନ୍ଦତୋଲା, ଫାଟକ ସମେତ ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ମାଆଙ୍କ ପୂଜା। ଚଣ୍ଡୀପାଠରେ ଭକ୍ତିମୟ ହୋଇଉଠିଛି ସମଗ୍ର ପରିବେଶ । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର । ସନ୍ଧ୍ୟା ହେଲେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ମାଆଙ୍କୁ ଦର୍ଶନ କରିବାକୁ ସବୁ ମଣ୍ଡପରେ ଏବେ ଖଚାଖଚ ଭିଡ଼ । ତେଣୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମଣ୍ଡପ କର୍ମକର୍ତ୍ତା ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
