ବିମାନବନ୍ଦରରୁ ବିଦେଶୀ ମୁଦ୍ରା ଜବତ !
ନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦ ବିମାନବନ୍ଦରରେ ୧.୫୬ କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ । ୨ ଗିରଫ । ବିଦେଶୀ ମୁଦ୍ରା ଚାଲାଣ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରାୟ ୧ କୋଟି ୫୬ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରାଯାଇଛି । ଏହି ଘଟଣାରେ ଜଣେ ପୁରୁଷ ଓ ଜଣେ ମହିଳା ଯାତ୍ରୀଙ୍କୁ ଗିରଫ କରାଯାଇଛି । ଅକ୍ଟୋବର ୨୨ ତାରିଖରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ DRI ହାଇଦ୍ରାବାଦ ଜୋନାଲ ୟୁନିଟ୍ର ଅଧିକାରୀମାନେ ହାଇଦ୍ରାବାଦରୁ ମାଲେସିଆର କୁଆଲାଲମ୍ପୁର ଯାଉଥିବା ଜଣେ ଭାରତୀୟ ପୁରୁଷ ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ସେ ଏୟାରଏସିଆର AK-68 ବିମାନରେ ଯାତ୍ରା କରିବାକୁ ଥିଲେ। ତାଙ୍କ କ୍ୟାବିନ୍ ବ୍ୟାଗ୍ ଯାଞ୍ଚ ବେଳେ ପୋଷାକ ମଧ୍ୟରେ ଏକ କଳା ପ୍ଲାଷ୍ଟିକ୍ ଜରିରେ ଲୁଚାଇ ରଖାଯାଇଥିବା ୬୬ ହଜାର ୬ଶହ ଆମେରିକୀୟ ଡଲାର, ୩ ହଜାର ୭୭୩ ମାଲେସିଆ ରିଙ୍ଗିଟ୍ ଏବଂ ୨ ସିଙ୍ଗାପୁର ଡଲାର ଜବତ ହୋଇଥିଲା । ଏହି ମୁଦ୍ରାର ମୋଟ ମୂଲ୍ୟ ପ୍ରାୟ ୬୩ ଲକ୍ଷ ୬୨ ହଜାର ଟଙ୍କା ହେବ । ପ୍ରାଥମିକ ପଚରାଉଚରା ଓ ମହିଳା ଯାତ୍ରୀଙ୍କ ଟ୍ରଲି ବ୍ୟାଗ୍ ଯାଞ୍ଚ ବେଳେ ପୋଷାକ ମଧ୍ୟରେ କଳା ପ୍ଲାଷ୍ଟିକ୍ ଜରିରେ ଲୁଚାଇ ରଖାଯାଇଥିବା ୯୭ ହଜାର ୬ଶହ ଆମେରିକୀୟ ଡଲାର ମିଳିଥିଲା । ଯାହାର ମୂଲ୍ୟ ପ୍ରାୟ ୯୧ ଲକ୍ଷ ୯୪ ହଜାର ଟଙ୍କା ବୋଲି ଆକଳନ କରାଯାଇଛି।
ଉଭୟ ଯାତ୍ରୀ ବିଦେଶୀ ମୁଦ୍ରାର ଆଇନଗତ ଦିଗ ଏବଂ ଏହାକୁ ସାଙ୍ଗରେ ନେବା ସମ୍ପର୍କିତ ଆବଶ୍ୟକୀୟ କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ । ଏହାପରେ ଉଭୟଙ୍କଠାରୁ ମୋଟ ୧ ଲକ୍ଷ ୬୪ ହଜାର ୨ଶହ ଆମେରିକୀୟ ଡଲାର, ୩ ହଜାର ୭୭୩ ମାଲେସିଆ ରିଙ୍ଗିଟ୍ ଏବଂ ୨ ସିଙ୍ଗାପୁର ଡଲାର ସମେତ ପ୍ରାୟ ୧.୫୬ କୋଟି ଟଙ୍କାର ବିଦେଶୀ ମୁଦ୍ରା ଓ ଏହାକୁ ଲୁଚାଇବା ପାଇଁ ବ୍ୟବହୃତ ଟ୍ରଲି ବ୍ୟାଗ୍ଗୁଡ଼ିକୁ କଷ୍ଟମ୍ସ ଆଇନ, ୧୯୬୨ ଅନୁଯାୟୀ ଜବତ କରାଯାଇଛି । ଏହି ଘଟଣାରେ ଉଭୟ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
