ବାଲେଶ୍ୱରରେ ଏଥର ଡିଜେ ନୁହେଁ, ଘଣ୍ଟ-ଶଙ୍ଖରେ ହେବ ଭସାଣୀ ଉତ୍ସବ

Sep 12, 2026 - 19:36
ବାଲେଶ୍ୱରରେ ଏଥର ଡିଜେ ନୁହେଁ, ଘଣ୍ଟ-ଶଙ୍ଖରେ ହେବ ଭସାଣୀ ଉତ୍ସବ

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ୱରରେ ଚଳିତ ବର୍ଷ ଗଣେଶ ପୂଜା ଓ ଭସାଣୀ ଉତ୍ସବରେ ଆଉ ବାଜିବନି କାନଫଟା ଡିଜେ। ଝଲସିବନି ଆଖିଧରା ଲେଜର ଲାଇଟ୍। ଉଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ ପରେ ଜିଲ୍ଲା ଓ ପୋଲିସ ପ୍ରଶାସନ ଏଥର ଆରମ୍ଭରୁ ହିଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଗଣେଶ ପୂଜା ଓ ଭସାଣ ଉତ୍ସବ ସମୟରେ ଡିଜେ, ମୋଡିଫାଏଡ୍ ସାଉଣ୍ଡ ସିଷ୍ଟମ୍ ଏବଂ ଲେଜର ଲାଇଟ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି। ପ୍ରଶାସନ ପକ୍ଷରୁ ଆୟୋଜିତ ସମନ୍ୱୟ ବୈଠକରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ପରିସ୍ଥିତିରେ ଡିଜେ କିମ୍ବା ମୋଡିଫାଏଡ୍ ସାଉଣ୍ଡ ସିଷ୍ଟମ୍‌କୁ ଅନୁମତି ଦିଆଯିବ ନାହିଁ। କେବଳ ଧାର୍ଯ୍ୟ ଡେସିବଲ୍ ସୀମା ମଧ୍ୟରେ ସାଧାରଣ ସାଉଣ୍ଡ ବକ୍ସ ବ୍ୟବହାର କରିବାକୁ ଅନୁମତି ରହିବ। ଏହା ସହିତ ଆଖି ଓ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରୁଥିବା ଲେଜର ଲାଇଟ୍ ବ୍ୟବହାରକୁ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ପୂଜା କମିଟି ସହିତ ସାଉଣ୍ଡ ସିଷ୍ଟମ୍ ମାଲିକ ଓ ଆୟୋଜକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ ଚେତାବନୀ ଦେଇଛି। ତେଣୁ ଏଥର ବାଲେଶ୍ୱରର ଭସାଣୀ ଉତ୍ସବରେ ଡିଜେର କାନଫଟା ଶବ୍ଦ ବଦଳରେ ସାଧାରଣ ସାଉଣ୍ଡ ବକ୍ସ ଓ ପାରମ୍ପରିକ ବାଦ୍ୟର ତାଳେ ଉତ୍ସବ ପାଳନ କରାଯିବ। କେବଳ ଶବ୍ଦ ପ୍ରଦୂଷଣ ନୁହେଁ, ମେଢ଼ ନିର୍ମାଣକୁ ନେଇ ମଧ୍ୟ ପ୍ରଶାସନ କଟକଣା ଲଗାଇଛି। ବିଦ୍ୟୁତ୍ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ମେଢ଼ର ଉଚ୍ଚତା ୧୦ରୁ ୧୨ ଫୁଟ୍ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଛି। ଏହା ସହିତ ଅଶ୍ଳୀଳ ଗୀତ ବଜାଇବା ଏବଂ ବିକୃତ ମୂର୍ତ୍ତି ପ୍ରଦର୍ଶନ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ପ୍ରଶାସନର ଏହି ‘ନୋ-ଡିଜେ’ ନିଷ୍ପତ୍ତିକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ସ୍ୱାଗତ କରିଛନ୍ତି। ବିଗତ ବର୍ଷଗୁଡ଼ିକରେ ଭସାଣୀ ସମୟରେ ଡିଜେର ପ୍ରଚଣ୍ଡ ଶବ୍ଦ ଓ ଲେଜର ଲାଇଟ୍ ଯୋଗୁଁ ରୋଗୀ, ବୃଦ୍ଧବୃଦ୍ଧା ଓ ଛୋଟ ପିଲାମାନେ ଅସୁବିଧାରେ ପଡ଼ୁଥିବାରୁ ଏଭଳି କଟକଣା ଜରୁରୀ ବୋଲି ସେମାନେ କହିଛନ୍ତି।

ଅନ୍ୟପଟେ ବାଲେଶ୍ୱରର କିଛି ପ୍ରମୁଖ କ୍ଲବ୍ ମଧ୍ୟ ପ୍ରଶାସନର ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି। ଡିଜେ ବଦଳରେ ପାରମ୍ପରିକ ବାଦ୍ୟ, ଘଣ୍ଟ ଓ ଶଙ୍ଖର ଧ୍ୱନି ମଧ୍ୟରେ ଭସାଣୀ ଉତ୍ସବକୁ ଆଧ୍ୟାତ୍ମିକ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ କିଛି କ୍ଲବ୍ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏଥର ବାଲେଶ୍ୱରରେ ଗଣେଶ ପୂଜା ଓ ଭସାଣୀ ଉତ୍ସବରେ ଡିଜେର ତୀବ୍ର ଶବ୍ଦ ବଦଳରେ ପାରମ୍ପରିକ ବାଦ୍ୟର ଧ୍ୱନି ଶୁଣିବାକୁ ମିଳିବ। ତେବେ ପ୍ରଶାସନର ଚେତାବନୀ କେବଳ ବୈଠକ ଓ ନିର୍ଦ୍ଦେଶ ମଧ୍ୟରେ ସୀମିତ ନରହି ଭସାଣୀ ସମୟରେ ରାଜରାସ୍ତା ଉପରେ କଡ଼ା ନଜର ରଖିବାକୁ ସାଧାରଣରେ ଦାବି ହୋଇଛି। ନିୟମ ଖିଲାପ କରୁଥିବା ଆୟୋଜକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଲେ ହିଁ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ସହ ଗଣେଶ ପୂଜା ଓ ଭସାଣୀ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)