ବଢ଼ୁଛି ମିଥ୍ୟା ବିବାହ ପ୍ରତିଶ୍ରୁତି ମାମଲା: ୨ବର୍ଷରେ ବନ୍ଧା ହୋଇଛନ୍ତି ୧୪୮ ପ୍ରତାରକ
"ଭୁବନେଶ୍ବର: ଜଣଙ୍କ ସହ ସଂପର୍କ ଅଛି, କିନ୍ତୁ ମନ ଆଉ ଜଣଙ୍କ ସାଙ୍ଗରେ ଯୋଡ଼ି ହୋଇଯାଉଛି।
କେଉଁଠି ତୁରନ୍ତ ଜଣାପଡ଼ୁଛି ତ ଆଉ କେଉଁଠି ମାସ ମାସ ଧରି ଚାଲୁଛି।
ଆଉ ଏହି ଛଳନା ସାମ୍ନାକୁ ଆସିବା ପରେ ପୀଡ଼ିତା ନ୍ୟାୟର ଦ୍ବାରସ୍ଥ ହେଉଛନ୍ତି।
୨୦୨୪ ମସିହା ଜୁଲାଇ ୧ତାରିଖରେ ଭାରତୀୟ ନ୍ୟାୟ ସଂହିତା ବା ବିଏନ୍ଏସ୍ରେ "ଦଫା ୬୯" ଲାଗୁ ହୋଇଥିଲା।
ବଢ଼ୁଥିବା ପ୍ରେମଜନିତ ଅପରାଧ(ଯୌନ ସଂପର୍କ)କୁ ନିୟନ୍ତ୍ରଣ କରିବା ପାଇଁ "ଦଫା ୬୯" ଅଣାଯାଇଥିଲ।
ଆଉ ଏହି ଆଇନ ଲାଗୁ ହେବାର ପ୍ରାୟ ୨ବର୍ଷ ମଧ୍ୟରେ ରାଜଧାନୀରେ "ଦଫା ୬୯" ବା ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ମାମଲା ବଢ଼ିବାରେ ଲାଗିଛି।
ଗତ ଦୁଇବର୍ଷରେ ରାଜଧାନୀରେ କେବଳ ୧୪୮ ଜଣ ପ୍ରତାରକଙ୍କୁ ଗିରଫ କରାଯାଇଛି।Advertisment କମିସନରେଟ୍ ପୁଲିସର ୟୁପିଡିରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୪ ଜୁଲାଇ ୧ରୁ ଡିସେମ୍ବର ୩୧ ମଧ୍ୟରେ ମାତ୍ର ୬ଜଣ ଏହି ଦଫାରେ ଗିରଫ ହୋଇଥିଲେ।
ଆଉ ଏହାର ପରବର୍ଷ ଅର୍ଥାତ୍ ୨୦୨୫ରେ ପ୍ରାୟ ୬୪ଟି ଅଧିକ ମାମଲା ରୁଜୁ ହୋଇ ଗିରଫଦାରୀ ସଂଖ୍ୟା ୭୦ରେ ପହଞ୍ଚିଥିଲା।
ସେହିଭଳି ଚଳିତ ବର୍ଷ ଜୁଲାଇ ୩୦ ସୁଦ୍ଧା ଏହି ଗିରଫଦାରୀ ସଂଖ୍ୟା ୭୨ରେ ପହଞ୍ଚିଛି।
ଏହି କ୍ରମରେ ୨୦୨୪ ଜୁଲାଇରୁ ୨୦୨୬ ଜୁଲାଇ ମଧ୍ୟରେ ୧୪୮ଜଣ ପ୍ରତାରକଙ୍କୁ ପୁଲିସ ଗିରଫ କରିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଏହି ଭଳି ଅଭିଯୋଗ କେବଳ ମିଥ୍ୟା ବିବାହ ନଚେତ୍ ପ୍ରତାରଣାରେ ସୀମିତ।
ହେଲେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଆସିଛି।
ନିକଟରେ ବଡ଼ଗଡ଼ ଥାନାରେ ଏଭଳି ଏକ ଅଭିଯୋଗ ଆସିବା ପରେ ପୁଲିସ ଶଠ ପ୍ରେମିକ ଶିବାନନ୍ଦ ବାରିକ ବିରୋଧରେ ବିଏନ୍ଏସ୍ ୬୯ ବ୍ୟତୀତ ୭୪ ଓ ୭୭ ଦଫା ଲଗାଇ ଗିରଫ କରିଥିଲା।
ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ, ରାଜଧାନୀରେ ଏହିଭଳି ମାଳମାଳ ଘଟଣା ରୀତିମତ ଦେଖିବାକୁ ମିଳୁଛି।
ଏନେଇ ସମାଜସେବୀ ଶୁଭଶ୍ରୀ ଦାସ କହିଛନ୍ତି, ଭୁବନେଶ୍ବରରେ ପାଠ ପଢ଼ିବା ପାଇଁ ବିଭିନ୍ନ ଜିଲ୍ଲାରୁ ପିଲା ଏଠାକୁ ଆସୁଛନ୍ତି।
ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ସହପାଠୀ ଦ୍ବାରା ଝିଅଟି ପ୍ରତାରଣାର ଶିକାର ହେଉଛି।
ଏ ସବୁ ନିୟନ୍ତ୍ରଣ ପାଇଁ ପିଲାମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବା ଆବଶ୍ୟକ।
ଏଥିପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନରେ କାଉନ୍ସେଲିଂ ବ୍ୟବସ୍ଥା ରହିବା ଆବଶ୍ୟକ।
ଉଭୟ ପୁଅ ଓ ଝିଅଙ୍କୁ ଏଥିରେ ସାମିଲ କରି ଏହାର ସକାରାତ୍ମକ ଓ ନକାରାତ୍ମକ ଦିଗ ଉପରେ ବୁଝାଇବା ଆବଶ୍ୟକ।
ଏହା ସହିତ ଏଭଳି ଅପରାଧର ଆଇନଗତ ପଦକ୍ଷେପ କଣ ହୋଇପାରେ ସେ ବାବଦରେ ସଚେତନ କରାଯିବା ଆବଶ୍ୟକ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।