ପୂଜା ମଣ୍ଡପ ବୁଲିବେ ନବୀନ !
ନନ୍ଦିଘୋଷ ବ୍ୟୁରୋ: କଟକର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିଲେ ବିଜେଡିର ନେତୃତ୍ୱ ମଣ୍ଡଳୀ । ଆଗାମୀ ଦିନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବୁଲିବେ ପୂଜା ମଣ୍ଡପ । ଦୁର୍ଗାପୂଜାକୁ ନେଇ ଉତ୍ସବମୁଖର ରୂପାର ସହର କଟକ । ଏହି ଅବସରରେ ସହରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ବିଜୁ ଜନତା ଦଳର ନେତୃତ୍ୱ ମଣ୍ଡଳୀ । କଟକ ମେୟର ସୁବାଷ ସିଂ ଏବଂ କଟକ ଜିଲ୍ଲା ବିଜେଡି ସଭାପତିଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା, କର୍ମୀ ଓ ଅନ୍ୟାନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି । କଟକ ସିଡିଏ ସେକ୍ଟର-୬ ସ୍ଥିତ ପୂଜା ମଣ୍ଡପରୁ ଏହି ପରିଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ସିଡିଏ ଅଞ୍ଚଳର ବିଭିନ୍ନ ପ୍ରମୁଖ ପୂଜା ମଣ୍ଡପକୁ ଯାଇ ମା’ଙ୍କ ଆଶୀର୍ବାଦ ନେବା ସହ ପୂଜା କମିଟିର ସଦସ୍ୟ ଓ ଶ୍ରଦ୍ଧାଳୁଙ୍କ ସହ ଭାବ ବିନିମୟ କରିଥିଲେ ନେତୃତ୍ୱ ମଣ୍ଡଳୀ ।
କଟକ ହେଉଛି ଭାଇଚାରାର ସହର । ଦୁର୍ଗାପୂଜା ସମୟରେ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଲୋକମାନେ ସମସ୍ତ ଭେଦଭାବ ଭୁଲି ଏକାଠି ହୋଇ ଉତ୍ସବ ପାଳନ କରିବା ଏହି ସହରର ଏକ ବିଶେଷ ପରମ୍ପରା । ଏହି ପରମ୍ପରା କଟକର ଗୌରବକୁ ଆହୁରି ବଢ଼ାଇବା ସହ ସାମାଜିକ ସଦ୍ଭାବର ବାର୍ତ୍ତା ପ୍ରଦାନ କରିବା ସହ ଆଗକୁ ନବୀନ ପଟ୍ଟନାୟକ ବିଭିନ୍ନ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ବିଜେଡ଼ି ଉପ-ସଭାପତି ଦେବୀ ମିଶ୍ର । ସେହିପରି କଟକ ମେୟର ସୁବାଷ ସିଂ କହିଛନ୍ତି ବିଜୁ ଜନତା ଦଳ ପକ୍ଷରୁ କଟକ ସହରର ୧୭ଟି ପ୍ରମୁଖ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
