ନାହିଁ ନାହିଁରେ ଚାଲିଛି ରାଜନଗର ମେଡିକାଲ, ବର୍ଷା ହେଲେ ୱାର୍ଡରେ ଜମୁଛି ପାଣି
ନନ୍ଦିଘୋଷ ବ୍ୟୁରୋ; ରୁଗ୍ଣ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର । ମେଡିକାଲ ଉପରେ ରାଜନଗର, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ଆଳି ବ୍ଲକର ହଜାର ହଜାର ଲୋକ ନିର୍ଭର କରନ୍ତି । ମାତ୍ର ଏହି ମେଡିକାଲ ରୋଗୀ ସେବା ଯୋଗାଇବା ବଦଳରେ ନିଜେ ସେବା ଖୋଜୁଛି । ଡାକ୍ତର ଅଭାବ ସାଙ୍ଗକୁ ବିଭିନ୍ନ ୱାର୍ଡର ଛାତ ଫାଟି ଆଁ କରିଥିବାରୁ ବର୍ଷା ହେଲେ ପାଣି ଗଳୁଛି । ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜରାଜୀର୍ଣ୍ଣ ଗୃହରେ ଅବହେଳିତ ଭାବେ ରୋଗୀ ସେବା ଚାଲିଛି । ନୂତନ ଗୃହ ପାଇଁ ବ୍ୟୟ ବରାଦ ହୋଇଥିଲେ ବି ତାହା ନିର୍ମାଣ ହୋଇପାରୁନାହିଁ । ମେଡିକାଲକୁ ଆସିଥିବା ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ନ ହୋଇ ନଷ୍ଟ ହେବାକୁ ବସିଲାଣି । ସମସ୍ୟା ସଂପର୍କରେ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନ ଓ ରାଜନେତାଙ୍କୁ ଜଣାଇଲେଣି । ହେଲେ ଫଳ ଶୂନ । ଅନ୍ୟପଟେ ନୂତନ ଗୃହ ନିର୍ମାଣ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ରୋଗୀ ସେବା ନାଁରେ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ରାଜନଗର ମେଡିକାଲର ଅବସ୍ଥା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
