ଦାରୁ ରୁ ଦିଅଁ
ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ବିରଳ ଓ ରହସ୍ୟମୟ କିମ୍ବଦନ୍ତୀ ରହିଛି । ତାଙ୍କର ଅଲୌକିକ ମହିମା, ପୂଜା ପଦ୍ଧତି, ବିଶ୍ୱପ୍ରସିଦ୍ଧ ଯାତ୍ରା ଏବଂ ଶ୍ରୀମନ୍ଦିରର ରୀତିନୀତି ସହ ଜଡ଼ିତ ଅନେକ ରୋଚକ ତଥ୍ୟ ଆଜି ସମଗ୍ର ବିଶ୍ୱକୁ ଚମତ୍କୃତ କରେ । ଏହିପରି ଅନେକ ପୌରାଣିକ ମାହାତ୍ମ୍ୟ ମଧ୍ୟରେ ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କ ବିଭିନ୍ନ ପବିତ୍ର ପୀଠ ସହିତ ଯୋଡ଼ିହୋଇ ରହିଛି । ସେହିଭଳି ଏକ ଅତି ପୁରାତନ ତଥା ରହସ୍ୟମୟ କିମ୍ବଦନ୍ତୀ ହେଉଛି— ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀନୀଳମାଧବଙ୍କ ସମ୍ପର୍କ ।
ସତ୍ୟ ଯୁଗରେ ନୀଳଗିରି ପର୍ବତର ନୀଳକନ୍ଦରରେ ବିରାଜମାନ କରିଥିଲେ ନୀଳମାଧବ। ସୁଗନ୍ଧ-ସୁବାସ ପରିବେଶରେ ପ୍ରଭୁ ପୂଜା ପାଉଥିଲେ । ଶବରରାଜ ବିଶ୍ବାବସୁ ଥିଲେ ତାଙ୍କର ମୁଖ୍ୟ ପୂଜକ । ଜଙ୍ଗଲର ଫଳ ମୂଳ ଭୋଗ ବନ ଫୁଲରେ ସେ ତାଙ୍କର ଆରାଧନା କରୁଥିଲେ । ତେବେ ନୀଳମାଧବଙ୍କ ସୂଚନା ବିଶ୍ବାବସୁଙ୍କ ବ୍ୟତୀତ କାହା ପାଖରେ ବି ନଥିଲା । ତେବେ ଦ୍ବାପରର ପଞ୍ଚମ ବଂଶଧର ପରମବିଷ୍ଣୁ ଭକ୍ତ, ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନୀଳମାଧବଙ୍କର ସନ୍ଧାନ ଉତ୍କଳଖଣ୍ଡରୁ କରି ତାଙ୍କର ମନ୍ଦିର ନିର୍ମାଣ ପାଇଁ ସ୍ବପ୍ନାଦେଶ ହୋଇଥିଲା । ଏହାପରେ ରାଜା ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ନୀଳମାଧବଙ୍କ ସନ୍ଧାନ ପାଇଁ ଚତୁର୍ଦ୍ଦିଗକୁ ଦୂତ ପଠାଇଥିଲେ । ହେଲେ ଅନେକ ବର୍ଷ ଦୂତମାନେ ନୀଳମାଧବଙ୍କ ସନ୍ଧାନ ନମିଳିବାରୁ ଫେରି ଆସିଲେ । ଶେଷରେ ନିରାଶ ହୋଇ ଇନ୍ଦ୍ରଦ୍ୟୁମ୍ନ, ରାଜଗୁରୁଙ୍କ ସାନଭାଇ ବିଦ୍ୟାପତିଙ୍କୁ ଉତ୍କଳ ଅଭିମୁଖେ ପଠାଇଲେ । ବିଦ୍ୟାପତି ଉତ୍କଳ ସୀମାରେ ପ୍ରବେଶ କରି ପ୍ରଥମେ ମହାନଦୀ ତଟରେ ମାତା ଚର୍ଚ୍ଚିକାଙ୍କର ଦର୍ଶନ କଲେ ଓ ପରେ ଏକାମ୍ର କ୍ଷେତ୍ରରେ ପ୍ରବେଶ କରି ପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ । ନୀଳଗିରି ପର୍ବତକୁ ଘେରି ସୁରେଶ୍ବର ବନ, ଚାରିଆଡ଼େ ଜଙ୍ଗଲ। ଉକ୍ତ ଘଞ୍ଚ ଗଛଲତା ହିଂସ୍ରଜନ୍ତୁ ପରିପୂର୍ଣ୍ଣ ସୁରେଶ୍ବର ବଣ ମଧ୍ୟରେ ଖୋଜୁ ଖୋଜୁ, ଜନ୍ତୁ ଆକ୍ରମଣରେ ଚେତା ହରାଇ ବସିଲେ ବିଦ୍ୟାପତି । ଚେତା ଫେରିଲା ସେ ଦେଖିଲେ ଏକ ଶବର କୁଡ଼ିଆ ଭିତରେ ଶୋଇଛନ୍ତି। ଦେହ ହାତରେ ଗଛର ପତ୍ର ଓ ଛେଲି ବନ୍ଧା ହୋଇଛି । ବିଦ୍ୟାପତି ପରେ ଜାଣିପାରିଲେ, ଜଙ୍ଗଲରେ ଅଚେତ ହୋଇ ପଡ଼ିଥିବା ସମୟରେ ବିଶ୍ବାବସୁଙ୍କ କନ୍ୟା ଲଳିତା ତାଙ୍କୁ ଆଣି ସେବା କରି ଆରୋଗ୍ୟ କରିଛନ୍ତି । ଲଳିତାର ସେବାରେ କିଛିଦିନ ଭିତରେ ସୁସ୍ଥ ହୋଇପଡ଼ିଲେ ସେ । ମାତ୍ର ଶବର ସମ୍ପ୍ରଦାୟରେ ନିୟମ ଥିଲା କୌଣସି ପୁରୁଷ ଯଦି କୌଣସି ସୁବ୍ରତା କନ୍ୟାକୁ ସ୍ପର୍ଶ କରେ ତେବେ ସେ ତା’ର ସ୍ବାମୀ ହେବା ପାଇଁ ବାଧ୍ୟ । ତେବେ ଏହି ସମୟରେ ସେ ଜାଣିଲେ ପ୍ରତିଦିନ ବିଶ୍ବାବସୁ ଦେବତାଙ୍କୁ ପୂଜା କରିବା ପାଇଁ ଜଙ୍ଗଲ ଭିତରକୁ ଯାଉଛନ୍ତି । ବିଦ୍ୟପତିଙ୍କର ସନ୍ଦେହ ହେଲା ବିଶ୍ବାବସୁଙ୍କ ପୂଜିତ ଠାକୁର ନୀଳମାଧବ ନୁହନ୍ତି ତ। ତେବେ ଏହାପରେ ଲଳିତାଙ୍କ ସହ ବିଦ୍ୟାପତିଙ୍କର ବିବାହ ହେଲା । ବିବାହ ପରେ ବିଦ୍ୟାପତି ଜାଣିଲେ ବିଶ୍ବାବସୁ ଯାହାଙ୍କୁ ପୂଜା କରୁଛନ୍ତି ସେ ନୀଳମାଧବ। ତେଣୁ ତାଙ୍କର ଦର୍ଶନ ପାଇଁ ସେ ଲଳିତା ଉପରେ ଚାପ ପ୍ରୟୋଗ କଲେ । ପ୍ରଥମେ ବିଶ୍ବାବସୁ ରାଜି ନଥିଲେ ବିଦ୍ୟାପତିଙ୍କ ପ୍ରସ୍ତାବରେ । ମାତ୍ର ପରେ ଲଳିତାର ଅନୁରୋଧରେ ସେ ବାଧ୍ୟ ହୋଇ ରାଜି ହେଲେ ବିଦ୍ୟାପତିଙ୍କୁ ନୀଳମାଧବଙ୍କ ଦର୍ଶନ କରାଇବେ, ମାତ୍ର ରାସ୍ତା ଦେଖାଇବେ ନାହିଁ । ଆଖିରେ ପଟିବାନ୍ଧି ସେ ବିଦ୍ୟାପତିକୁ ସାଙ୍ଗରେ ନେଇଯିବେ। ସଙ୍କଟରେ ପଡ଼ିଲେ ବିଦ୍ୟାପତି। କେମିତି ନୀଳମାଧବଙ୍କ ସନ୍ଧାନ ଦେବେ ଇନ୍ଦ୍ରଦ୍ୟୁମ୍ନଙ୍କୁ । ମାତ୍ର ଏ ସଙ୍କଟର ସମାଧାନ କଲେ ଲଳିତା। ବିଦ୍ୟାପତିଙ୍କ ହାତରେ କିଛି ଶୋରିଷ ବଢ଼ାଇଦେଲେ। କହିଲେ, ବିଶ୍ବାବସୁଙ୍କ ଅଲକ୍ଷ୍ୟରେ ତୁମେ ରାସ୍ତା ସାରା ବୁଣି ବୁଣି ଯିବ। କିଛିଦିନ ପରେ ସେ ସବୁ ଗଛ ହେଇଯିବ ଓ ତୁମକୁ ରାସ୍ତା ପାଇବାରେ ଅସୁବିଧା ହେବନାହିଁ। ନିର୍ଦ୍ଧାରିତ ସମୟରେ ବିଶ୍ବାବସୁଙ୍କ ସହ ଯାଇ ନୀଳଗିରି ପର୍ବତ ଉପରେ ନୀଳମାଧବଙ୍କୁ ଦର୍ଶନ କଲେ ବିଦ୍ୟାପତି।ବିଦ୍ୟାପତି ପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ପାରିଜାତ ମାଳା ଗ୍ରହଣ କରି ଫେରିଆସିଲେ ଶବର ପଲ୍ଲୀକୁ। ଏହାପରେ ବିଦ୍ୟାପତି ବିଶ୍ବାବସୁଙ୍କୁ ନିଜର ପରିଚିୟ ଦେଇ ତାଙ୍କ ପାଖରୁ ବିଦାୟ ନେଇ ଅବନ୍ତୀ ଫେରି ଆସିଲେ । ଅବନ୍ତୀରେ ପହଞ୍ଚି ଇନ୍ଦ୍ରଦ୍ୟୁମ୍ନଙ୍କୁ ନୀଳମାଧବଙ୍କ ସମ୍ବାଦ ପ୍ରଦାନ କରିଥିଲେ । ଏହାପରେ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ମନ୍ଦିର ନିର୍ମାଣ କରିବା ଲାଗି ଯାତ୍ରାର ସମୟ ନିର୍ଦ୍ଧାରଣ କରାହେଲା । ଜ୍ୟେଷ୍ଠ ମାସ ଶୁକ୍ଳ ପଞ୍ଚମୀ ଦିନ ରାଜା ଇନ୍ଦ୍ରଦ୍ୟୁମ୍ନ ପାରିଷଦ ଓ ମହର୍ଷି ନାରଦଙ୍କ ସହିତ ପୁରୁଷୋତ୍ତମ କ୍ଷେତ୍ରକୁ ଯାତ୍ରା ଆରମ୍ଭ କଲେ । ଇନ୍ଦ୍ରଦ୍ୟୁମ୍ନ ଉତ୍କଳ ସୀମାରେ ଚର୍ଚ୍ଚିକା ଦେବୀଙ୍କୁ ପୂଜାର୍ଚ୍ଚନା କରି ମହାନଦୀ କୂଳରେ ପହଞ୍ଚି ପୂଜା ଓ ତର୍ପଣ କଲେ । ଏହାପରେ ଇନ୍ଦ୍ରଦ୍ୟୁମ୍ନ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରବେଶ କଲେ। ସେଠାରେ ଅବସ୍ଥାନ କରି ସ୍ଥିର କଲେ ନୀଳମାଧବଙ୍କୁ ଦର୍ଶନ କରିବେ। ବିଦ୍ୟାପତି ରାସ୍ତାରେ ବୁଣିଥିବା ଶୋରିଷ ସବୁ ଗଛ ହୋଇଯାଇଥିଲା । ସେହି ରାସ୍ତାରେ ଯାଇ, ନୀଳଗିରି ପର୍ବତ ଉପରେ ପହଞ୍ଚି ଇନ୍ଦ୍ରଦ୍ୟୁମ୍ନ ଓ ଅନ୍ୟମାନେ ଦେଖିଲେ ଗୁମ୍ଫା ମଧ୍ୟରେ ନୀଳମାଧବ ନାହାନ୍ତି । ସେମାନଙ୍କର ସନ୍ଦେହ ହେଲା, ବିଶ୍ବାବସୁ ବୋଧହୁଏ ନୀଳମାଧବଙ୍କୁ ଲୁଚାଇ ଦେଇଛନ୍ତି । ମାତ୍ର ସେହି ମୁହୂର୍ତ୍ତରେ ଶୂନ୍ୟବାଣୀ ହେଲା, ରାଜା ଇନ୍ଦ୍ରଦ୍ୟୁମ୍ନ ମୁଁ ମୋ ନିଜ ଇଚ୍ଛାରେ ଅନ୍ତର୍ଦ୍ଧାନ ହୋଇଛି। ତୁମେ ପ୍ରଥମେ ନୃସିଂହଙ୍କ ମନ୍ଦିର ପ୍ରତିଷ୍ଠା କରି ସେଠାରେ ଯଜ୍ଞ କର । ଯଜ୍ଞ ଶେଷରେ ମୁଁ ମହାଦାରୁ ରୂପରେ ସମୁଦ୍ର ମଧ୍ୟରେ ଆବିର୍ଭାବ ହେବି । ଶୂନ୍ୟବାଣୀ ଅନୁସାରେ ପ୍ରସ୍ତୁତି ଆରମ୍ଭ ହେଲା । ନାରଦ ନୃସିଂହଙ୍କ ମୂର୍ତ୍ତି ଆଣିଦେବା ପରେ ମନ୍ଦିର ନିର୍ମାଣ ହୋଇ ନୃସିଂହଙ୍କ ମୂର୍ତ୍ତି ପ୍ରତିଷ୍ଠା ହେଲା ଏବଂ ସେହି ମନ୍ଦିର ସାମ୍ନାରେ ଯଜ୍ଞ ଆରମ୍ଭ ହେଲା । ଯଜ୍ଞ ଶେଷରେ ପଞ୍ଚପୁରୁଷ ଆବିର୍ଭାବ ହୋଇ ବେଲେଶ୍ବର ମହାଦେବଙ୍କ ମନ୍ଦିର ପାଖରେ ସମୁଦ୍ର କୂଳରେ ଦାରୁ ରୂପରେ ସମୁଦ୍ର ତଟରେ ଲାଗିବି ବୋଲି ସୂଚନା ପ୍ରଦାନ କଲେ । ସମସ୍ତେ ସଂକୀର୍ତ୍ତନ ଓ ହରିବୋଲ ସହିତ ବେଲେଶ୍ବରଙ୍କ ପାଶରେ ଅପେକ୍ଷା କଲେ । ସମୁଦ୍ର ମଧ୍ୟରୁ ଓଁକାର ଧ୍ବନି ସହିତ ମହାଦାରୁ ଆସି କୂଳରେ ଲାଗିଲେ । ପୂଜାର୍ଚ୍ଚନାରେ ମହାଦାରୁକୁ ନେବାର ବ୍ୟବସ୍ଥା କରାଗଲା । ମାତ୍ର ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଘୋଡ଼ା ଓ ହାତୀ ଲଗାଇଲେ– ମହାଦାରୁ ଗୋଟିଏ ଇଞ୍ଚ ଘୁଞ୍ଚିଲେ ନାହିଁ। ଶେଷରେ ବିଶ୍ବାବସୁ ଆସି ହାତ ଲଗାଇବା ମାତ୍ରେ ଦାରୁ ଶୂନ୍ୟରେ ଉଠି ଶଗଡ଼ିରେ ବିଜେ କଲେ । ଶଗଡ଼ିରେ ଦାରୁକୁ ଆଣି ଯଜ୍ଞବେଦୀ ଅର୍ଥାତ୍ ଗୁଣ୍ଡିଚା ମନ୍ଦିରର ଗର୍ଭଗୃହରେ ରଖାଗଲା । ତା’ପରେ ବିଚାର ବିମର୍ଶ ଚାଲିଲା ଦାରୁରେ ମୂର୍ତ୍ତି ନିର୍ମାଣ ହେବେ କିପରି ? ଏହି ସମୟରେ ସ୍ବୟଂ ବିଶ୍ବକର୍ମା ବୃଦ୍ଧ ଅନନ୍ତ ମହାରଣା ରୂପରେ ଆସି କହିଲେ ମୁଁ ମୂର୍ତ୍ତି ଗଢ଼ିବେଦି। କିନ୍ତୁ ମୋର ସର୍ତ୍ତ ହେଉଚି । ୨୧ ଦିନ ମୁଁ ଗୋଟେ ଆବଦ୍ଧ ଘରେ ରହିବି। ତା’ ଭିତରକୁ କେହି ପ୍ରବେଶ କରିବେ ନାହିଁ । ନିହାଣ ମୁଦ୍ଗରର ଶବ୍ଦ ଶୁଣାଯିବା ପାଇଁ ଗୃହ ପାଶରେ ଅହରହ ସଂକୀର୍ତ୍ତନ ଚାଲିବ । ୨୧ ଦିନ ପରେ ପ୍ରଥମେ ସେ ଘରର କବାଟ ଖୋଲିବ । ଏହାପରେ ତାଙ୍କର ସର୍ତ୍ତ ଅନୁସାରେ ସମସ୍ତ ବ୍ୟବସ୍ଥା କରାଗଲା । ମୂର୍ତ୍ତି ନିର୍ମାଣ ଚାଲିଥାଏ। ଦିନ ପରେ ଦିନ ଅତିକ୍ରାନ୍ତ ହେଲାଣି। ପଞ୍ଚଦଶ ଦିବସରେ ଆଉ ନିହାଣ ମୁଦ୍ଗର ଶବ୍ଦ ଶୁଣାଗଲା ନାହିଁ । ରାଣୀ ଗୁଣ୍ଡିଚା ବିବ୍ରତ ହୋଇପଡିଲେ, ହୁଏତ ଅନାହାରରେ ଅନନ୍ତ ମହାରଣାଙ୍କ ମୃତ୍ୟୁଘଟିଛି । ସେ ଇନ୍ଦ୍ରଦ୍ୟୁମ୍ନଙ୍କୁ ବାଧ୍ୟ କଲେ କବାଟ ଖୋଲିବା ପାଇଁ। ଅବଶେଷରେ ଇନ୍ଦ୍ରଦ୍ୟୁମ୍ନ ମୂର୍ତ୍ତି ନିର୍ମାଣ ଗୃହର କବାଟ ଖୋଲି ଦେଖିଲେ ତିନୋଟି ବିଗ୍ରହ ଗଢ଼ା ହୋଇଛନ୍ତି- ସମସ୍ତେ ଅସମ୍ପୂର୍ଣ୍ଣ । ଭାଙ୍ଗିପଡିଲେ ଇନ୍ଦ୍ରଦ୍ୟୁମ୍ନ ଓ ନିଜକୁ ଧିକ୍କାର କଲେ। ମାତ୍ର ଶୂନ୍ୟବାଣୀ ହେଲା ‘ହେ ରାଜା ମୁଁ ମୋ ନିଜ ଇଚ୍ଛାରେ ଏଇ ରୂପ ଗ୍ରହଣ କରିଚି । ତୁମେ ମନ୍ଦିର ନିର୍ମାଣ କରି ମତେ ପ୍ରତିଷ୍ଠା କରିବାର ଆୟୋଜନ କର । ଶିଳ୍ପୀମାନଙ୍କ ଅକ୍ଳାନ୍ତ ପରିଶ୍ରମରେ, ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରଚେଷ୍ଟାରେ ଓ ସ୍ଥାନୀୟ ରାଜାମାନଙ୍କ ସାହାଯ୍ୟ ସହଯୋଗରେ, ନୀଳଗିରି ପର୍ବତ ଉପରେ ବିଶାଳ ଭବ୍ୟ ମନ୍ଦିର ନିର୍ମାଣ ହେଲା। ଏହାପରେ ବାରି ଉଠିଲା- ମନ୍ଦିର ଓ ବିଗ୍ରହମାନଙ୍କ ପ୍ରତିଷ୍ଠା ହେବେ। ନାରଦ କହିଲେ ଏହି ପ୍ରତିଷ୍ଠା କାର୍ଯ୍ୟ କେବଳ ବ୍ରହ୍ମା ହିଁ କରିପାରିବେ। ତେଣୁ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକକୁ ଯାଇ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବେ । ଏହାପରେ ଇନ୍ଦ୍ରଦ୍ୟୁମ୍ନ ସମସ୍ତଙ୍କ ଠାରୁ ବିଦାୟ ନେଇ ନାରଦଙ୍କ ସହିତ ଦେବରଥ ଆରୋହଣ କରି, ବ୍ରହ୍ମଲୋକକୁ ଯାତ୍ରା ଆରମ୍ଭ କଲେ ।ତେବେ ଏହାରି ଭିତରେ ଶ୍ରୀକ୍ଷେତ୍ରରେ ଅନେକ ବର୍ଷ ଅତିକ୍ରାନ୍ତ ହୋଇଯାଇଚି । ସମୁଦ୍ର ବାଲିରେ ପୋତିହୋଇଯାଇଚି ଶ୍ରୀମନ୍ଦିର ଏବଂ ଏହି ସମୟରେ ବ୍ରହ୍ମାଙ୍କୁ ଆମନ୍ତ୍ରଣ ଦେଇ ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କ ସହିତ ଫେରିଆସିଛନ୍ତି ପୁରୁଷୋତ୍ତମ କ୍ଷେତ୍ରକୁ। ଏଣେ ମର୍ତ୍ତ୍ୟରେ ବିରାଟ ପରିବର୍ତ୍ତନ । ଏବେ ଉତ୍କଳର ରାଜା ମାଧବ । ସେ ରାଣୀଙ୍କ ସହ ଅଶ୍ବପୃଷ୍ଠରେ ଯିବା ସମୟରେ ଘୋଡ଼ାଟାପୁରେ ବାଲି ଭିତରେ କିଛି ବାଜି ଘୋଡ଼ା ଲେଉଟି ପଡ଼ିଚି । ମାଧବ ଆସି ଦେଖିଛନ୍ତି ଏହା ଏକ ମନ୍ଦିରର ଦଧିନଉତି। କ୍ରମଶଃ ଉଦ୍ଧାର ହୋଇଛି ଶ୍ରୀମନ୍ଦିର, ନୃସିଂହମନ୍ଦିର ଓ ଯଜ୍ଞବେଦୀ । ସେତିକିବେଳେ ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କ ସହିତ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ଦେଖୁଛନ୍ତି ତାଙ୍କ ନିର୍ମିତ ମନ୍ଦିର ଅଧିକାର କରିଛନ୍ତି ମାଧବ । ତାଙ୍କ ପରିବାରର କି ଆତ୍ମୀୟ ଆଉ କେହି ନାହାନ୍ତି । ଅନନ୍ତାୟୁ ଆସିଥିବା ଲୋକମାନଙ୍କ ଭିତରୁ କେହି ଜୀବିତ ନାହାନ୍ତି । କେହି ତାଙ୍କୁ ଚିହ୍ନନ୍ତି ନାହିଁ । ସେ ଏ ମନ୍ଦିର ନିର୍ମାଣ କରିଛନ୍ତି– ଏ କଥା କେହି ବିଶ୍ବାସ କରୁନାହାନ୍ତି । ତେଣୁ ମାଧବ କହିଛନ୍ତି– ଆପଣ ନିଜ ସପକ୍ଷରେ ପ୍ରମାଣ ଯୋଗାଇ କରନ୍ତୁ । ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ମାର୍କଣ୍ଡେୟ ଋଷି ତାପରେ ଭୁଷୁଣ୍ଡି କାକ, ନାଡିଜଙ୍ଗ କାକଙ୍କ ପାଖକୁ ଯାଇଛନ୍ତି ହେଲେ ସେମାନେ କେହି ଜାଣି ନଥିବା କହିଛନ୍ତି । ଏହାପରେ ତାଙ୍କ ଠାରୁ ଜଣେ ପୁରୁଣା ଜୀବ ଅକୂପାର କୂର୍ମଙ୍କୁ ସ୍ମରଣ କରିଛନ୍ତି । କୂର୍ମ ଆସି କହିଛନ୍ତି ଅନେକ ଯୁଗ ତଳେ ଆମେ ମାନବଥୁଲୁ । ଗ୍ରାମିଣକୁ ପଥର ବୋହି ବୋହି ଆମେ କୂର୍ମ ପାଲଟିଯାଇଛୁ । ଇନ୍ଦ୍ରଦ୍ୟୁମ୍ନ ଏ ମନ୍ଦିର ନିର୍ମାଣ କରିଛନ୍ତି । ଶେଷରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ବିଜୟ ହୋଇଛି । ମନ୍ଦିରର ଅଧିକାର ଫେରିପାଇବା ପରେ ଇନ୍ଦ୍ରଦ୍ୟୁମ୍ନ, ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠାର ଆୟୋଜନ କରିଛନ୍ତି । ସମସ୍ତ ଅତିଥିମାନେ, ଦେବତାମାନେ, ଋଷିମାନେ ନିମନ୍ତ୍ରଣ ପାଇ, ଶ୍ରୀକ୍ଷେତ୍ରକୁ ଆସିଛନ୍ତି । ଇନ୍ଦ୍ରଦ୍ୟୁମ୍ନ ତିନୋଟି ସୁସଜ୍ଜିତ ରଥରେ ବିଗ୍ରହମାନଙ୍କୁ ବସାଇ, ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ନେଇଛନ୍ତି । ସେଠାରେ ରତ୍ନସିଂହାସନ ଉପରେ ବିଜେ କରାଇ ବ୍ରହ୍ମାଙ୍କ ଦ୍ବାରା ପ୍ରତିଷ୍ଠାର ପର୍ବ ଆରମ୍ଭ ହୋଇଛି । ଏହାପରେ ଇନ୍ଦ୍ରଦ୍ୟୁମ୍ନ, ଜଗନ୍ନାଥଙ୍କର ବିଭିନ୍ନ ସେବା, ପୂଜା, ଯାନିଯାତ୍ରା ଓ ଉତ୍ସବର ବିଧାନ କରିଛନ୍ତି । ବାରମାସରେ ତେର ପର୍ବ ହେବ । ସେହିଦିନ ଠାରୁ ତାଙ୍କରି ପରିକଳ୍ପନା ଅନୁସାରେ ବିଧାନ କରାଯାଉଥିବା ସମସ୍ତ ନୀତି ନିୟମ ଆଜିଯାଏଁ ଚାଲିଆସିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।