ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର ଆକ୍ରମଣରେ ଜଣଙ୍କର ମୃତ୍ୟୁ

ବେରୁତ: ଦକ୍ଷିଣ ଲେବାନନରେ ଆଜି ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଛି ଏବଂ ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଦକ୍ଷିଣ ଲେବାନନର ଟାୟର ଜିଲ୍ଲାର ମରକେ ପୌରପାଳିକାରେ ଇସ୍ରାଏଲ ବିମାନ ଆକ୍ରମଣ କରିବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଇସ୍ରାଏଲୀ ମାନେ କହୁଥିବା ‘ୟେଲୋ ଲାଇନ୍’ର ବିଭିନ୍ନ ଗ୍ରାମ ଏବଂ ସହରରେ ଶୁକ୍ରବାର ସନ୍ଧ୍ୟାରୁ ଲଗାତାର ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷେ ଲେବାନନ୍ର ୨୦ ସହର ଏବଂ ଗାଁ ଖାଲି କରିବାକୁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେଇଛି। ନାଗରିକମାନଙ୍କୁ ତୁରନ୍ତ ଘର ଛାଡ଼ି ଜହରାନୀ ନଦୀର ଉତ୍ତରକୁ ଚାଲିଯିବା ପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଶେଷ ପାଇଁ ହୋଇଥିବା ଚୁକ୍ତିରେ ଉଭୟ ଆମେରିକା ଏବଂ ଇରାନ ରାଜି ଅଛନ୍ତି ଏବଂ ମଧ୍ୟସ୍ଥିମାନେ ମଧ୍ୟ ଏନେଇ ଏକ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଉଭୟ ପକ୍ଷ ସହ କାର୍ଯ୍ୟ କରୁଛନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର କହିବାର ଦିନକ ପରେ ଆଜି ଇସ୍ରାଏଲ ଦକ୍ଷିଣ ଲେବାନନରେ ଏହି ଆକ୍ରମଣ କରିଛି। କିନ୍ତୁ ଇରାନ ଅଧିକାରୀମାନେ ଲଗାତାର ଭାବେ କହିଛନ୍ତି ଯେ ଯୁଦ୍ଧବନ୍ଦ ନେଇ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।