ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୨
ନନ୍ଦିଘୋଷ ବ୍ୟୁରୋ: ପୁଣି ଥରିଲା ଆଫଗାନିସ୍ତାନ । ଗୁରୁବାର ସକାଳେ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ପକ୍ଷରୁ କୁହାଯାଇଛି ।
ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର କୋପ ଦେଖିବାକୁ ମିଳିଛି । ଗୁରୁବାର ସକାଳେ ଲୋକେ ଶୋଇଥିବା ବେଳେ ହଠାତ୍ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକେ ଘର ଛାଡ଼ି ବାହାରକୁ ଚାଲି ଆସିଥିଲେ । ଭାରତୀୟ ସମୟ ୬ଟା ୩୯ ମିନିଟ୍ ରେ ଏହି ଭୂକମ୍ପ ଝଟକା ଲାଗିଥିବା କୁହାଯାଉଛି । ଏହାର କେନ୍ଦ୍ରସ୍ଥଳୀ ଫୈଜାବାଦରୁ ୯୨ କିମି ଦୂରରେ ରହିଛି । ଭୂପୃଷ୍ଠରୁ କେନ୍ଦ୍ରସ୍ଥଳୀର ଗଭୀରତା ୨୨୮ କିମି ବୋଲି ଜଣାପଡିଛି । ତେବେ ଝଟକା ଲାଗିବା ପରେ ଏବେ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରି ନାହିଁ । ସେହିପରି ଗତ ଅକ୍ଟୋବର ୨୫ ତାରିଖରେ ଆଫଗାନିସ୍ତାନ ଭୂକମ୍ପ ଝଟକା ଲାଗିଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଥିଲା । ଏହା ପୂର୍ବରୁ ଜୁଲାଇ ୨ରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ତୀବ୍ରତା ରିକ୍ଟର ସ୍କେଲରେ ୫.୫ ମାପ କରାଯାଇଥିଲା । ଏହା ପୂର୍ବରୁ ଜୁନ୍ ୨୭ ତାରିଖରେ, ଉତ୍ତର-ପୂର୍ବ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ୬.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ବାଦାଖଶାନ ପ୍ରଦେଶ ଥିଲା। ଏହି ଭୂମିକମ୍ପ ପାକିସ୍ତାନ ଓ ଉତ୍ତର ଭାରତ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।
ସୂଚନାଯୋଗ୍ୟ, ଆଫଗାନିସ୍ତାନକୁ ବିଶ୍ୱର ସବୁଠାରୁ ଭୂମିକମ୍ପପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଭୂବିଜ୍ଞାନୀମାନଙ୍କ ମତରେ, ଏହି ଦେଶ ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ଓ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ର ଧକ୍କା ଜୋନ୍ରେ ଅବସ୍ଥିତ । ଏହା ବ୍ୟତୀତ, ହେରାତ୍ ଭଳି ଅଞ୍ଚଳ ଦେଇ ପ୍ରମୁଖ ଫଲ୍ଟ ଲାଇନ ଯାଇଛି। ହିନ୍ଦୁକୁଶ ପର୍ବତମାଳା ଏହି ଅଞ୍ଚଳକୁ ଆହୁରି ଦୁର୍ବଳ କରିଥାଏ। ଫଳରେ ଦେଶରେ ଅଧିକାଂଶ ସମୟରେ ଭୂମିକମ୍ପ ସୃଷ୍ଟି ହୋଇଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
