ଡ଼ବଲ ଇଞ୍ଜିନ ସରକାରରେ ବଢୁଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସଂଖ୍ୟା
ନନ୍ଦିଘୋଷ ବ୍ୟୁରୋ: ଡ଼ବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ମଧ୍ୟ ଆକ୍ସନ ମୋଡ଼କୁ ଆସିଛି । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ଚାଲିଛି କାର୍ଯ୍ୟକ୍ରମ ।ରାଉରକେଲା ଭିଜିଲାନ୍ସ ବିଭାଗ ଗତ ଦୁଇ ବର୍ଷରେ ୩୬ଟି ଅପରାଧିକ ମାମଲା ରୁଜୁ କରି ୩୫ ଜଣ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ଗିରଫ କରିଥିବା ସୂଚନା ଦିଆଯାଇଛି । ଗିରଫଙ୍କ ମଧ୍ୟରେ ୫ ଜଣ କ୍ଲାସ ଓ୍ଵାନ୍ ଅଫିସର ରହିଥିବା ବେଳେ ୬ ଜଣ କ୍ଲାସ୍ ଟୁ ଅଧିକାରୀ ଅଛନ୍ତି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ୮ଟି ମାମଲା ରୁଜୁ କରାଯାଇ ନଗଦ ୪୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଲାଞ୍ଚ ନେଉଥିବା ଅଭିଯୋଗରେ ୧୬ଟି ଟ୍ରାପ୍ ମାମଲା ୧୨ଟି ଅର୍ଥ ଆତ୍ମସାତ୍ ମାମଲା ରୁଜୁ ହୋଇଛି । ଭିଜିଲାନ୍ସ ବିଭାଗ ୧୦ଟି କୋଠା ଘର, ଦୁଇ କେଜି ସୁନା ଅଳଙ୍କାର, ୨୨ଟି ପ୍ଲଟ୍, ୪ କୋଟି ଟଙ୍କାରୁ ଅଧିକ ଜମା ରାଶି ଓ ନଗଦ ୪୬ ଲକ୍ଷ ଟଙ୍କା ଜବତ କରିଛି । ସୁନ୍ଦରଗଡ଼ର ଜଣେ ଟ୍ରାଫିକ୍ ଇନ୍ସପେକ୍ଟରଙ୍କ ଘରୁ ୧୪ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି । ଲାଠିକଟା ତହସିଲଦାରଙ୍କ ଘରେ ଯାଞ୍ଚ ସମୟରେ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ବିଶ୍ରା ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜରଙ୍କ ଘରେ ଯାଞ୍ଚ ସମୟରେ ୮ ଲକ୍ଷ ଟଙ୍କା ଜବତ କରାଯାଇଛି । ସେହିପରି ଲାଠିକଟା ତହସିଲଦାର ୫ ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ରାଉରକେଲା ଅବକାରୀ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ୫ ଲକ୍ଷ ଟଙ୍କା ଗାଡିରେ ପଠାଇବା ସମୟରେ ଧରାପଡିଛନ୍ତି ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖ ଠାରୁ ନଭେମ୍ବର ମାସ ୧ ତାରିଖ ପର୍ଯ୍ୟନ୍ତ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ରାଉରକେଲା ସହରର ITDA ସମ୍ମିଳନୀ କକ୍ଷରେ ସାଧୁତାରୁ ସମୃଦ୍ଧି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏସପି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଡିଏଫଓ ଏବଂ ରାଉରକେଲା ଭିଜିଲାନ୍ସ ଏସପି ଅତିଥି ଭାବେ ଯୋଗ ଦେଇ ଦୁର୍ନୀତିର ମୂଳୋତ୍ପାଟନ ନେଇ ମତ ରଖିଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଧରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
