ଜାପାନରେ ଶକ୍ତିଶାଳୀ ଭୂମିକମ୍ପ : ୨୦ରୁ ଅଧିକ ଆହତ, ସୁନାମି ଆଶଙ୍କା ନାହିଁ
ନନ୍ଦିଘୋଷ ବ୍ୟୁରୋ: ଥରିଲା ଜାପାନ। ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଉଠିଲା କେନ୍ଦ୍ରୀୟ ଜାପାନର ଅନେକ ଅଞ୍ଚଳ। ହଠାତ୍ ଭୂମିକମ୍ପ ଝଟକା ଅନୁଭବ କରି ଲୋକମାନେ ଭୟଭୀତ ହୋଇ ଘର ଓ କୋଠାବାଡ଼ିରୁ ବାହାରକୁ ଦୌଡ଼ି ଆସିଥିଲେ। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। କେତେକ ସ୍ଥାନରେ ଦୋକାନର ଝରକା ଭାଙ୍ଗିଯିବା ସହ ଘର ଭିତରେ ଥିବା ଜିନିଷପତ୍ର ତଳେ ପଡ଼ିଯାଇଥିବା ଖବର ମିଳିଛି।
ରାତି ୧ଟା ୪ ମିନିଟ୍ରେ ଭୂମିକମ୍ପ
ଜାପାନ ପାଣିପାଗ ବିଭାଗ (JMA)ର ସୂଚନା ଅନୁଯାୟୀ, ରାତି ୧ଟା ୪ ମିନିଟ୍ରେ ଏହି ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଶିଜୁଓକା ପ୍ରଦେଶର ପଶ୍ଚିମ ଭାଗରେ ଭୂପୃଷ୍ଠଠାରୁ ପ୍ରାୟ ୪୦ କିଲୋମିଟର ଗଭୀରରେ ଥିଲା। ଆଇଚି ପ୍ରଦେଶର ଚିତା ସହରରେ ସବୁଠାରୁ ଅଧିକ ଝଟକା ଅନୁଭୂତ ହୋଇଥିଲା। ଜାପାନର ଭୂକମ୍ପ ତୀବ୍ରତା ମାପକ ସ୍କେଲ୍ରେ ଏହାର ସ୍ତର ୫ ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ଆଇଚି, ନାଗାନୋ ଓ ଗିଫୁ ପ୍ରଦେଶର ଅନେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ କେତେକ ସ୍ଥାନରେ ଛୋଟ ଛୋଟ ପରବର୍ତ୍ତୀ ଝଟକା ବା ଆଫ୍ଟରସକ୍ ଅନୁଭୂତ ହୋଇଥିଲା। ଏହାପରେ ଜାପାନ ସରକାର ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବା ସହ ଜରୁରୀକାଳୀନ ଯୋଗାଯୋଗ କାର୍ଯ୍ୟାଳୟ ଖୋଲିଛନ୍ତି। ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।
ସୁନାମି ଚେତାବନୀ ନାହିଁ
ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଆଶଙ୍କାକୁ ନେଇ ଚିନ୍ତା ବଢ଼ିଥିଲା। ତେବେ ଜାପାନ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ ଏହି ଭୂମିକମ୍ପ ଯୋଗୁଁ ସୁନାମି ଆସିବାର ଆଶଙ୍କା ନାହିଁ। ଏଥିପାଇଁ କୌଣସି ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇନାହିଁ। ତେବେ ପରବର୍ତ୍ତୀ ଭୂମିକମ୍ପ ଝଟକାର ସମ୍ଭାବନା ଥିବାରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
କାହିଁକି ବାରମ୍ବାର ଥରୁଛି ଜାପାନ?
ଜାପାନ ବିଶ୍ୱର ଅନ୍ୟତମ ଭୂମିକମ୍ପପ୍ରବଣ ଦେଶ। ପ୍ରଶାନ୍ତ ମହାସାଗରର ଅଗ୍ନିବଳୟ (Ring of Fire) ଅଞ୍ଚଳରେ ଅବସ୍ଥିତ ଥିବାରୁ ଏଠାରେ ଅନେକ ଟେକ୍ଟୋନିକ୍ ପ୍ଲେଟ୍ର ଗତିବିଧି ଯୋଗୁଁ ବାରମ୍ବାର ଭୂମିକମ୍ପ ହୋଇଥାଏ। ଗତ କିଛି ବର୍ଷ ମଧ୍ୟରେ ଜାପାନରେ ଅନେକ ବଡ଼ ଭୂମିକମ୍ପ ହୋଇଛି। ୨୦୨୪ ଜାନୁଆରୀରେ ନୋଟୋ ଉପଦ୍ୱୀପରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହିବର୍ଷ ଅଗଷ୍ଟରେ ମିଆଜାକି ନିକଟରେ ୭.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା।
୨୦୧୧ର ଭୟଙ୍କର ଭୂମିକମ୍ପ ଆଜି ବି ମନେ ପଡ଼େ
୨୦୧୧ ମାର୍ଚ୍ଚ ୧୧ ତାରିଖରେ ଜାପାନରେ ୯.୦ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା। ଏହା ପରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ସୁନାମି ଫୁକୁସିମା ପରମାଣୁ କେନ୍ଦ୍ରକୁ ଗୁରୁତର କ୍ଷତି ପହଞ୍ଚାଇଥିଲା। ଏହି ବିପର୍ଯ୍ୟୟରେ ପ୍ରାୟ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
