ଗେଟ୍ ବଜାର ଫ୍ଲାଏଓଭର ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ

Sep 12, 2026 - 20:40
ଗେଟ୍ ବଜାର ଫ୍ଲାଏଓଭର ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁରର ଗେଟ୍ ବଜାର ଅଞ୍ଚଳରେ ଚାଲିଥିବା ଫ୍ଲାଏଓଭର ନିର୍ମାଣରେ ଅବହେଳା ଓ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଅଭିଯୋଗ ଆସିଛି। ପ୍ରକଳ୍ପର ବିଳମ୍ବ, ଅବ୍ୟବସ୍ଥା ଓ ନିର୍ମାଣର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ। ସାଂସଦ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ଚିଠିରେ ସ୍ଥାନୀୟ ବାସିନ୍ଦା, ଯାତ୍ରୀ, ନାଗରିକ ସଙ୍ଗଠନ ଓ ସ୍ଥାନୀୟ ନେତାମାନେ ଦୀର୍ଘଦିନ ଧରି ଫ୍ଲାଏଓଭର ନିର୍ମାଣକୁ ନେଇ ଅଭିଯୋଗ କରିଆସୁଥିବା ଦର୍ଶାଇଛନ୍ତି। ବିଶେଷକରି ନିର୍ମାଣରେ ବ୍ୟବହୃତ କଞ୍ଚାମାଲର ଗୁଣବତ୍ତା ଓ ଗ୍ରେଡ୍‌କୁ ନେଇ ସନ୍ଦେହ ଥିବା ନେଇ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସହ ଫ୍ଲାଏଓଭର ନିର୍ମାଣରେ ବିଳମ୍ବ ଯୋଗୁଁ ଗେଟ୍ ବଜାର ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ୁଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେବା ସହ ନିର୍ମାଣସ୍ଥଳରୁ ଉଡ଼ୁଥିବା ଧୂଳି ଯୋଗୁଁ ପ୍ରଦୂଷଣ ବଢ଼ୁଥିବା କୁହାଯାଇଛି। ଦୀର୍ଘ ସମୟ ଧରି କାମ ଚାଲିଥିବାରୁ ରାସ୍ତାକଡ଼ର ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ରହିଛି।

ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିବା ନେଇ ସ୍ଥାନୀୟ ନେତା ଓ ପ୍ରତିନିଧିମାନେ ବାରମ୍ବାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କାହିଁକି ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ନିର୍ମାଣାଧୀନ ଫ୍ଲାଏଓଭରରେ ଗୁଣବତ୍ତା ଯାଞ୍ଚ ପାଇଁ ନିୟମିତ ଓ ପ୍ରଭାବଶାଳୀ ବ୍ୟବସ୍ଥା ରହିଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ ମଧ୍ୟ ଦାବି ହୋଇଛି। ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ଭୁଶୁଡ଼ିବା ଘଟଣାର ଉଦାହରଣ ଦେଇ ସାଂସଦ ଏହି ପ୍ରସଙ୍ଗର ଗୁରୁତ୍ୱ ଦର୍ଶାଇଛନ୍ତି। ତେଣୁ ଫ୍ଲାଏଓଭର ନିର୍ମାଣରେ ବ୍ୟବହୃତ ସାମଗ୍ରୀର ନମୁନା ପରୀକ୍ଷା ସହ ବୈଷୟିକ ଅଡିଟ୍ ତୁରନ୍ତ କରାଯିବା ନେଇ ଦାବି ଜୋର ଧରିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)