କୋଟିଆ ବିବାଦ: ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

Oct 24, 2026 - 09:26
କୋଟିଆ ବିବାଦ: ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିବା ପ୍ରସଙ୍ଗରେ କଠୋର ହେଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ କୋର୍ଟ ଅବମାନନା ମାମଲା ଦାୟର କରାଯାଇଛି। ଏହି ମାମଲା ପଞ୍ଜୀକୃତ ହୋଇଛି। ମାମଲା ନମ୍ବର ହେଉଛି ୬୬୭୨୭/୨୦୨୬। ଆନ୍ଧ୍ରପ୍ରଦେଶର ରାଜ୍ୟ ନିର୍ବାଚନ କମିଶନ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଏହି ମାମଲା ଦାୟର ହୋଇଛି। ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି । କୋଟିଆରେ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ କରାଇବାକୁ ଆନ୍ଧ୍ରର ପଦକ୍ଷେପକୁ ନେଇ ଓଡ଼ିଶା ଆପତ୍ତି ଉଠାଇଛି। ଗୋଟିଏ ଅଞ୍ଚଳରେ ଦୁଇଟି ଭିନ୍ନ ପ୍ରଶାସନିକ ବ୍ୟବସ୍ଥା ଅଧୀନରେ ପ୍ରତିନିଧି ରହିବା ପ୍ରସଙ୍ଗ ଉଠାଇ ଏହା ପଞ୍ଚାୟତ ଓ ଅନ୍ୟାନ୍ୟ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଅଭିଯୋଗ କରାଯାଇଛି। ଏହି ମାମଲାରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବେ ବୋଲି କୁହାଯାଇଛି। ଏଥିରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଜି. ସାଇ ପ୍ରସାଦ, ନିର୍ବାଚନ କମିଶନ ଅନିଲ ଚନ୍ଦ୍ର ପୁନେଠା, ଗୃହ ସଚିବ କୁମାର ବିଶ୍ୱଜିତ୍, ପଞ୍ଚାୟତିରାଜ ସଚିବ, ମୁତାଲା ରାଜୁ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଭି. ଆର୍. କେ. ତେଜା, ପାର୍ବତୀପୁରମ୍ ମନ୍ୟମ ଜିଲ୍ଲାପାଳ ଏନ୍. ପି. ରବିଶଙ୍କର ରେଡ୍ଡୀ ପ୍ରମୁଖଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର ହୋଇଛି।

୧୯୩୬ ମସିହାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। କୋଟିଆକୁ ଓଡ଼ିଶାରେ ନ୍ୟାୟସଙ୍ଗତ ଭାବେ ବଜାୟ ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଏହାକୁ ନେଇ ୧୯୬୮ ମସିହାରେ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ମାମଲାର ବିଚାର ସମୟରେ କୋଟିଆ ଗ୍ରାମପୁଞ୍ଜରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅର୍ଥାତ୍, ଯେଉଁ ସ୍ଥିତି ରହିଛି, ସେଥିରେ କୌଣସି ପରିବର୍ତ୍ତନ ନ କରିବାକୁ କୁହାଯାଇଥିଲା। ୨୦୦୬ ମସିହାରେ ଏହି ମାମଲା ଖାରଜ ହୋଇଥିଲେ ମଧ୍ୟ ସ୍ଥିତାବସ୍ଥା ବଜାୟ ରଖିବା ପ୍ରସଙ୍ଗ ରହିଥିଲା। ଏବେ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପୁଞ୍ଜରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବାରୁ ଏହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଇଛି। ସେପଟେ କୋଟିଆ ପ୍ରସଙ୍ଗରେ ଆଜି ବସିବ ସର୍ବଦଳୀୟ ବୈଠକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)