କଟକ ବାଲିଯାତ୍ରାରେ ପୁଣି ଅଘଟଣ, ଦୋଳିରୁ ଖସି ଚାଲିଗଲା ଯୁବକଙ୍କ ଜୀବନ
କଟକ: ପୁଣି କଟକ ବାଲିଯାତ୍ରାରେ ଅଘଟଣ । ତଳ ପଡ଼ିଆରେ ରାମ ଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲିଯାତ୍ରାର ତୃତୀୟ ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି ।
ଘଟଣା ପରେ ତୁରନ୍ତ ଯୁବକଙ୍କୁ ପଡ଼ିଆ ମଧ୍ୟରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରେ ତାଙ୍କୁ କଟକ ବଡ଼ ମେଡିକାଲ (SCB)କୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଏଯାଏଁ ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ ।
ଅନ୍ୟପଟେ ଯୁବକ ଜଣକ କେଉଁ ପରିସ୍ଥିତିରେ ଦୋଳିରୁ ଖସି ପଡ଼ିଲେ, ତାହାର ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏହା ସହିତ ଦୋଳିର ଫିଟନେସ୍ ସମ୍ପର୍କିତ କାଗଜପତ୍ର ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୨୫ ତାରିଖରେ ବାଲିଯାତ୍ରା ତଳ ପଡ଼ିଆ ନିକଟ ମହାନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଲଗାତାର ଏଭଳି ଅଘଟଣକୁ ନେଇ ବାଲିଯାତ୍ରାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
