ଆପୋଷ ବୁଝାମଣା ପରେ ବି ବନ୍ଦ ହେବନି ଦୁଷ୍କର୍ମ ମାମଲା !
ନନ୍ଦିଘୋଷ ବ୍ୟୁରୋ: ଦୁଷ୍କର୍ମ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ନେଇ ଚର୍ଚ୍ଚା । ଦୁଷ୍କର୍ମ ମାମଲାରେ ଆପୋଷ ବୁଝାମଣା ପଛରେ ରହିଛି ଦୁଇଟି ବଡ ବିପଦ ! ସମାଧାନ ପରେ ବି ବନ୍ଦ ହୋଇପାରିବନି ମାମଲା ! ବର୍ତ୍ତମାନ ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏକ ଦୁଷ୍କର୍ମ ମାମଲାରେ ଉଭୟ ପକ୍ଷଙ୍କ ଭିତରେ ସମାଧାନ ହେବା ପରେ ମାମଲାକୁ ଖାରଜ କରିଦେଇଥିଲେ ହାଇକୋର୍ଟ । ହେଲେ ଏବେ ସୁପ୍ରିମକୋର୍ଟ ସଫା ସଫା କହିଦେଇଛନ୍ତି ଯେ, ଦୁଷ୍କର୍ମ ଭଳି ଗମ୍ଭୀର ଅପରାଧକୁ ସମାଧାନ ଆଧାରରେ ବନ୍ଦ କରାଯାଇପାରିବ ନାହିଁ । ଜଷ୍ଟିସ୍ ଜେବି ପାରଦିଓ୍ବାଲା ଏବଂ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ କରି ଏହି ବିବୃତ୍ତି ଦେବା ସହ ମାମଲାର ଶୁଣାଣୀ ଆଗକୁ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଆର୍ଥିକ ସମାଧାନ ପ୍ରଲୋଭନରେ ମିଥ୍ୟା ଅଭିଯୋଗ ଦାଖଲ ଏବଂ ଚାପ ପକାଇ କରାଯାଇଥିବା ଆପୋଷ ବୁଝାମଣା ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।
ସୂଚନା ଅନୁସାରେ, ଆବେଦନକାରୀ ଦୁଷ୍କର୍ମ ଏବଂ ଏସସି\ଏସଟି ଆକ୍ଟ ଆଧାରରେ ଆଗୁଆ ଜାମିନ ଆବେଦନ କରିଥିଲେ । ଆବେଦନକାରୀଙ୍କ ଓକିଲ ମଧ୍ୟପ୍ରଦେଶ ହାଇକୋର୍ଟରେ କହିଥିଲେ ଯେ, ଉଭୟଙ୍କ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଯାଇଛି , ତେଣୁ ହାଇକୋର୍ଟ ତାଙ୍କର ସ୍ବତନ୍ତ୍ର କ୍ଷମତା ବ୍ୟବହାର କରି ମାମଲାକୁ ଖାରଜ କରିଦେଇଛନ୍ତି। ଏଥିରେ ସୁ୍ପ୍ରିମକୋର୍ଟ ଆପତ୍ତି ଉଠାଇ କହିଥିଲେ ଯେ, ଅପରାଧର ଗମ୍ଭୀରତାକୁ ଦେଖି ଆମେ ଚିନ୍ତିତ ଅଛୁ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବ ରାୟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଦୁଷ୍କର୍ମ, ହତ୍ୟା ଏବଂ ଡକାୟତି ଭଳି ସଙ୍ଗୀନ ଅପରାଧ ସହ ,ଜଡିତ ମାମଲାଗୁଡିକୁ କେବଳ ଆପୋଷ ବୁଝାମଣା ଆଧାରରେ ଖାରଜ କରାଯାଇପାରିବ ନାହିଁ । କାହିଁକି ନା ଏଗୁଡିକ ବ୍ୟକ୍ତିଗତ ମାମଲା ନୁହେଁ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କେବଳ ଆପୋଷ ବୁଝାମଣା ଆଧାରରେ ମାମଲାକୁ ଖାରଜ କରିବା ଭୁଲ । କାରଣ ଏପରି କରିବା ଦୁଇଟି ବିପଦ ସୃଷ୍ଟି କରିଥାଏ:
ପ୍ରଥମତଃ, ଅଭିଯୁକ୍ତ ପୀଡିତାଙ୍କ ଉପରେ ମାମଲାର ବୁଝାମଣା ପାଇଁ ଚାପ ପକାଇ ପାରିବ ।
ଦ୍ବିତୀୟତଃ, କିଛି ଲୋକ ଟଙ୍କା ଲୋଭରେ ମଧ୍ୟ ମିଥ୍ୟା ଅଭିଯୋଗ ଲଗାଇ ପାରନ୍ତି ।
କୋର୍ଟଙ୍କର ଏହା କହିବା ପଛରେ କାରଣ ମଧ୍ୟ ରହିଛି । କାହିଁକି ନା କୋର୍ଟ ପୀଡିତାଙ୍କ ସହ କଥା ହେବା ବେଳେ ପୀଡିତା କହିଥଲେ ଯେ, ତାଙ୍କର ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ । କିନ୍ତୁ ତାଙ୍କ ଉପରେ ଆପୋଷ ବୁଝାମଣା ପାଇଁ ଚାପ ପକାଯାଇଥିଲା । ସେ ଇଚ୍ଛୁକ ନଥିଲେ ମଧ୍ୟ ଟଙ୍କାର ଆବଶ୍ୟକତା ଥିବାରୁ ଏପରି କରିବାକୁ ସେ ବାଧ୍ୟ ହୋଇଥିଲେ । ଯାହାପରେ ସୁପ୍ରିମକୋର୍ଟ ହାଇକୋର୍ଟର ଆଦେଶକୁ ରଦ୍ଦ କରିଦେଇଥିଲେ ଏବଂ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
