ବାତ୍ୟା ପରେ ଗଞ୍ଜାମରେ ଚିନ୍ତା ବଢ଼ାଇଛି ଲଗାଣ ବର୍ଷା
ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ ଉଡ଼ାଇଲା, ଏବେ ବୁଡ଼ାଇଲା । ବାତ୍ୟା ଅର୍ଣ୍ଣବ ପରେ ପରେ ଗଞ୍ଜାମ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଲଗାତାର ବର୍ଷା ଯୋଗୁଁ ଫୁଲୁଛି ଋଷିକୂଲ୍ୟା ନଦୀ । ଫଳରେ ଗଞ୍ଜାମରେ ବଢ଼ିଛି ବନ୍ୟା ଭୟ । ଜିଲ୍ଳାର ପୁରୁଷୋତ୍ତମପୁରଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି । ଅନେକ ଗାଁରେ ବନ୍ୟାଜଳ ପଶିବା ଯୋଗୁଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି ।
ରାତି ତମାମ ଲଗାଣ ବର୍ଷା ପରେ ପୁରୁଷୋତ୍ତମପୁରଠାରେ ଋଷିକୂଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ୧୭. ୫୦୦ ରହିଥିବା ବେଳେ ସତର୍କ ସଙ୍କେତ ୧୫.୮୩୫ ଓ ବିପଦ ସଙ୍କେତ ୧୬.୮୩୫ ରହିଛି । ଫଳରେ ତଳିଆ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଛି। ବନ୍ୟାଜଳ ଅନେକ ଗାଁରେ ପ୍ରବେଶ କରିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତିକୁ ନେଇ ବୁଧବାର ବିଳମ୍ବିତ ରାତିରେ ଜିଲ୍ଲାପାଳ ପୁରୁଷୋତ୍ତମପୁରରେ ଏକ ଜରୁରୀ ବୈଠକ କରିଥିଲେ । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ସହ ସଜାଗ ରହିବାକୁ ତହସିଲଦାର ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।
ନଦୀର ଜଳସ୍ତର ଓ ବର୍ଷା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି । ଜିଲ୍ଲାରେ ଏବେ ବି ବର୍ଷା ଲାଗି ରହିଥିବାରୁ ଋଷିକୁଲ୍ୟା ବନ୍ୟା ପାଣିରେ ଅନେକ ଗାଁ ବୁଡ଼ିବା ଆଶଙ୍କା କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
