ଆଜି ରାତିରେ ଆକାଶରେ ଦେଖାଯିବ ‘ବିଭର ମୁନ୍’, କାହିଁକି କୁହାଯାଏ ସୁପରମୁନ୍?

Nov 24, 2026 - 17:56
ଆଜି ରାତିରେ ଆକାଶରେ ଦେଖାଯିବ ‘ବିଭର ମୁନ୍’, କାହିଁକି କୁହାଯାଏ ସୁପରମୁନ୍?

ନନ୍ଦିଘୋଷ ବ୍ୟୁରୋ: ଆଜି, ନଭେମ୍ବର ୨୪ ତାରିଖ ରାତିରେ ଆକାଶପ୍ରେମୀଙ୍କ ପାଇଁ ରହିଛି ଏକ ବିଶେଷ ଦୃଶ୍ୟ। ଆକାଶରେ ଦେଖିବାକୁ ମିଳିବ ବର୍ଷର ନଭେମ୍ବର ପୂର୍ଣ୍ଣଚନ୍ଦ୍ର, ଯାହାକୁ ‘ବିଭର ମୁନ୍’ କୁହାଯାଏ। ଏଥର ଏହି ପୂର୍ଣ୍ଣଚନ୍ଦ୍ରକୁ ‘ସୁପରମୁନ୍’ ଭାବେ ମଧ୍ୟ ଗଣନା କରାଯାଉଛି।

ବିଭର ମୁନ୍ ନଭେମ୍ବର ମାସରେ ଦେଖାଯାଉଥିବା ପୂର୍ଣ୍ଣଚନ୍ଦ୍ରର ପାରମ୍ପରିକ ନାମ। ଏହା କୌଣସି ଅଲଗା ଜ୍ୟୋତିର୍ବିଜ୍ଞାନ ଘଟଣା ନୁହେଁ। ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁ ଆରମ୍ଭ ହେବା ସମୟରେ ଦେଖାଯାଉଥିବା ନଭେମ୍ବର ପୂର୍ଣ୍ଣିମାକୁ ଏହି ନାମ ଦିଆଯାଇଛି।

ଚନ୍ଦ୍ର ପୃଥିବୀକୁ ଏକ ଅଣ୍ଡାକାର କକ୍ଷପଥରେ ପରିକ୍ରମା କରୁଥିବାରୁ ପୃଥିବୀଠାରୁ ଏହାର ଦୂରତା ସବୁବେଳେ ସମାନ ରହେ ନାହିଁ। ଚନ୍ଦ୍ର ଯେତେବେଳେ ପୃଥିବୀର ନିକଟତମ ସ୍ଥାନରେ ଥାଏ, ସେହି ସ୍ଥାନକୁ ‘ପେରିଜି’ କୁହାଯାଏ। ଏହି ନିକଟତମ ଅବସ୍ଥାର ପାଖାପାଖି ସମୟରେ ପୂର୍ଣ୍ଣିମା ହେଲେ ତାହାକୁ ସୁପରମୁନ୍ କୁହାଯାଏ। ଏଥର ପୂର୍ଣ୍ଣିମା ସମୟରେ ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ୩ ଲକ୍ଷ ୬୦ ହଜାର ୭୬୮ କିଲୋମିଟର ଦୂରରେ ରହିବ। ଫଳରେ ସାଧାରଣ ପୂର୍ଣ୍ଣିମା ତୁଳନାରେ ଏହା ସାମାନ୍ୟ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ।

୨୦୨୬ ଜାନୁଆରୀ ୩ ପରେ ଏହା ବର୍ଷର ପ୍ରଥମ ସୁପର ଫୁଲ୍ ମୁନ୍। ତେବେ ସୁପରମୁନ୍‌ର ସଂଜ୍ଞା ନେଇ ବିଭିନ୍ନ ସଂସ୍ଥାର ମାନଦଣ୍ଡ ସାମାନ୍ୟ ଭିନ୍ନ ଥିବାରୁ କେତେକ କ୍ୟାଲେଣ୍ଡରରେ ଏହାକୁ ଭିନ୍ନ ଭାବେ ଶ୍ରେଣୀଭୁକ୍ତ କରାଯାଇପାରେ।

‘ବିଭର ମୁନ୍’ ନାମଟି ଉତ୍ତର ଆମେରିକାର ପାରମ୍ପରିକ ଚନ୍ଦ୍ର ନାମକରଣ ପଦ୍ଧତିରୁ ଆସିଛି। ପ୍ରକୃତି, ଋତୁ ଓ ପଶୁପକ୍ଷୀଙ୍କ ଆଚରଣକୁ ଆଧାର କରି ସେଠାକାର ଆଦିବାସୀ ସମ୍ପ୍ରଦାୟମାନେ ବିଭିନ୍ନ ମାସର ପୂର୍ଣ୍ଣଚନ୍ଦ୍ରକୁ ନାମ ଦେଉଥିଲେ। ପରେ ୟୁରୋପୀୟ ବସତିକାରୀମାନେ ମଧ୍ୟ ଏହି ନାମଗୁଡ଼ିକୁ ଗ୍ରହଣ କରିଥିଲେ। ନଭେମ୍ବର ମାସରେ ବିଭର ନାମକ ଜଳଚର ପ୍ରାଣୀମାନେ ଶୀତ ଋତୁ ପାଇଁ ନିଜ ବସା ପ୍ରସ୍ତୁତ କରିବା ସହ ଖାଦ୍ୟ ସଂଗ୍ରହ କରିଥାନ୍ତି। ଏହି ସମୟରେ ସେମାନଙ୍କର ଗତିବିଧିକୁ ଆଧାର କରି ନଭେମ୍ବର ପୂର୍ଣ୍ଣଚନ୍ଦ୍ରର ନାମ ‘ବିଭର ମୁନ୍’ ରଖାଯାଇଥିବା ବିଶ୍ୱାସ କରାଯାଏ। ଅନ୍ୟ ଏକ ମତ ଅନୁସାରେ, ଶୀତ ଆରମ୍ଭ ହେବା ପୂର୍ବରୁ ବିଭରଙ୍କ ଲୋମ ପାଇଁ ଶିକାର କରାଯାଉଥିଲା। ଏହି କାରଣରୁ ନଭେମ୍ବର ପୂର୍ଣ୍ଣଚନ୍ଦ୍ରକୁ କେତେକ ସ୍ଥାନରେ ‘ଫ୍ରଷ୍ଟ ମୁନ୍’ ବା ତୁଷାର ଚନ୍ଦ୍ର ମଧ୍ୟ କୁହାଯାଏ।

ଭାରତରେ ନଭେମ୍ବର ୨୪ ତାରିଖ ସନ୍ଧ୍ୟାରେ ଚନ୍ଦ୍ରୋଦୟ ସମୟରୁ ବିଭର ମୁନ୍‌କୁ ଦେଖିହେବ। ଚନ୍ଦ୍ର ପୂର୍ବ ଦିଗବଳୟରେ ଉଦୟ ହେବା ସମୟରେ ଏହା ହଳଦିଆ କିମ୍ବା କମଳା ରଙ୍ଗର ଦେଖାଯାଇପାରେ। ଏହାର କାରଣ ହେଉଛି ଦିଗବଳୟ ନିକଟରେ ଥିବା ଚନ୍ଦ୍ରାଲୋକକୁ ଅଧିକ ବାୟୁମଣ୍ଡଳ ଦେଇ ଗତି କରିବାକୁ ପଡ଼େ। ଏହାକୁ ଦେଖିବା ପାଇଁ ଟେଲିସ୍କୋପ୍‌ର ଆବଶ୍ୟକତା ନାହିଁ। ଖୋଲା ଛାତ କିମ୍ବା ପୂର୍ବ ଦିଗ ଦେଖାଯାଉଥିବା ଏକ ସ୍ଥାନ ବାଛନ୍ତୁ। ଚନ୍ଦ୍ର ଦିଗବଳୟ ନିକଟରେ ଥିବାବେଳେ ବଡ଼ ଦେଖାଯିବାର ଅନୁଭୂତି ମଧ୍ୟ ହୋଇପାରେ। ଏହାକୁ ‘ମୁନ୍ ଇଲ୍ୟୁଜନ୍’ କୁହାଯାଏ। ଆକାଶ ସ୍ୱଚ୍ଛ ରହିଲେ ଆଜି ରାତିରେ ଏହି ମନୋରମ ଦୃଶ୍ୟ ଉପଭୋଗ କରିପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)