ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ରାଜନଗର : ବାଲି ମାଫିଆ – ପ୍ରଶାସନ ମୁହାଁମୁହିଁ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ରୁଟିନ ଏନଫୋର୍ସମେଣ୍ଟ ସମୟରେ ହଂସୁଆ ପୋଲ ଉପରେ ଏକ ବାଲି ବୋଝଇ ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଅତିରିକ୍ତ ତହସିଲଦାର ଆଶିଷ ଜେନା । ଏହି ସମୟରେ ହାଇୱା ଟି ନ ଅଟକି ଖସି ଯାଇଥିଲା । ତେବେ ପାଖା ପାଖି ୧୨ କିଲୋମିଟର ଯାଏଁ ବାଲି ଗାଡିକୁ ପିଛା କରିବା ବେଳେ ବାଲି ମାଫିଆଙ୍କ ଏକ କାର ତାଙ୍କ ଗାଡି ଆଗରେ ରହି ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଅଟକାଇ ଥିଲା । ଏହି ସମୟରେ ହାଇୱା ଟି ରାସ୍ତା ମଝିରେ ବାଲି ଢାଳି ଖସି ଯିବାକୁ ସମର୍ଥ ହୋଇଥିଲା । ତହସିଲଦାରଙ୍କ ଗାଡ଼ିଟି ଅଟକିବା ପରେ ସେହି ଗାଡ଼ିରୁ ସମ୍ପୃକ୍ତ ବାଲି ମାଫିଆ ବାହାରି ପୋଲିସ ଉପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଥିଲା । ଏହି ଘଟଣା କୁ ନେଇ ଅତିରିକ୍ତ ତହସିଲଦାର ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବାଲି ମାଫିଆକୁ ପୋଲିସ ଅଟକ ରଖିଥିବା ବେଳେ ବାଲି ବୋଝଇ ହାଇୱାଟି ଫେରାର ହୋଇଯାଇଛି ।