ଇୟୋରଫୋନ ବ୍ୟବହାର କରୁଛନ୍ତି କି ? ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ !
ନନ୍ଦିଘୋଷ ବ୍ୟୁରୋ : ଆପଣ ପ୍ରତିଦିନ ସମସ୍ତଙ୍କ ବେକରେ ହେଡଫୋନ କିମ୍ବା କାନରେ ଇୟୋରଫୋନ ପିନ୍ଧିବାର ଦେଖିଥିବେ। ଏହି ଡିଭାଇସ ସ୍ବତନ୍ତ୍ର ସୁବିଧା ପାଇଁ ତିଆରି କରାଯାଇଥିଲା, ହେଲେ ଏଗୁଡିକ ଏବେ ଫ୍ୟାଶନ ଭାବେ ବ୍ୟବହାର କରାଯାଉଛି । ଏହି ଡିଭାଇସ ସମ୍ପର୍କରେ ଏକ ସତ ସାମ୍ନାକୁ ଆସିଛି ଯାହା ଲୋକଙ୍କ ପାଇଁ ସତର୍କର ସୂଚନା ଦେଇଛି। ତେବେ କଣ ସେ ସୂଚନା ଆସନ୍ତୁ ଜାଣିବା ।
ଆଜିକାଲି ସମସ୍ତଙ୍କ ପାଖରେ ଇୟୋରଫୋନ, ଇୟରବୋର୍ଡସ, ହେଡଫୋନ ଗୁଡିକ ବହୁ ଲୋକପ୍ରିୟ ହୋଇପାରିଛି । ଆପଣ ଅନେକ ଲୋକଙ୍କୁ କାନରେ ଇୟୋରଫୋନ ଦେଇ ରାସ୍ତାରେ ବୁଲିବାର ଦେଖିଥିବେ,ଏପରିକି ଏହି ଡିଭାଇସ ଯୋଗୁଁ ବହୁ ଲୋକ ଦୁର୍ଘଟଣାରେ ସମ୍ଭୁଖୀନ ହେଲେଣି ହେଲେ କାହା ମୁଣ୍ଡରେ ଏ ଯାଏଁ ଚେତା ପଶିନି। ଏହି ଡିଭାଇସକୁ ସୁବିଧା ପାଇଁ ତିଆରି କରାଯାଇଥିଲା, ହେଲେ ଏବେ ଏହି ଡିଭାଇସ ଏକ ଫ୍ୟାଶନରେ ପରିଣତ ହୋଇଛି ।
ଏକ ରିପୋର୍ଟ ଅନୁଯାୟୀ ଇୟରଫୋନର ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ବାରା କାନର କ୍ଷତି ପହଞ୍ଚାଇଥାଏ ।ଏହି ଗବେଷଣା ଅନୁସାରେ, ପ୍ରାୟ ଏକ ବିଲିୟନ ଯୁବକ ଏବଂ କିଶୋର ଅଧିକ ଇୟରଫୋନ ବ୍ୟବହାର ଯୋଗୁଁ ଶୁଣିବାର ଶକ୍ତି ହ୍ରାସ ପାଇବାର ଆଶଙ୍କା ରହିଥାଏ । ବହୁତ ଜୋରରେ ସଂଗୀତ ଶୁଣିଲେ ପ୍ରାୟ ଏକ କୋଟି ଲୋକଙ୍କ କାନ ଖରାପ ହୋଇପାରେ। ଏହି ଗବେଷଣା ରିପୋର୍ଟ ଆମେରିକାର ଦକ୍ଷିଣ କାରୋଲିନା ମେଡିକାଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।
ଆହୁରି ଅନେକ ଗବେଷଣା ଆଗକୁ ଆସିଛି
ଗବେଷଣା ଅନୁସାରେ, ଲୋକଙ୍କ ସ୍ୱାସ୍ଥ୍ୟର ଅଧିକ କ୍ଷତି ରୋକିବା ପାଇଁ ସରକାର ଶୀଘ୍ର ପଦକ୍ଷେପ ନେବା ଦରକାର। ଆହୁରି ମଧ୍ୟ ଏହି ଗବେଷଣା ଅନୁସାରେ, ପ୍ରାୟ ୧୨.୫% ଲୋକ ଏହି ସମସ୍ୟାରେ ପ୍ରଭାବିତ ହୋଇପାରନ୍ତି। ଗବେଷଣା ଅନୁସାରେ, ପ୍ରାୟ ୧୨.୫% ଶିଶୁ ଓ କିଶୋର (ପ୍ରାୟ ୫.୨ ନିୟୁତ) ଏବଂ ୧୭% ଯୁବକ-ଯୁବତୀ (ପ୍ରାୟ ୨୬ ନିୟୁତ) ଶ୍ରବଣ ସମସ୍ୟାରେ ପୀଡ଼ିତ। ଅଧିକ ଶବ୍ଦର ବ୍ୟବହାର କରିବା ଦ୍ବାରା କାନ ଉପରେ ପ୍ରବାହ ପଡିଥାଏ।ଯାହା ଦ୍ବାରା ଶୁଣିବାର ଶକ୍ତି ହ୍ରାସ ହୋଇଥାଏ ।
ସାବଧାନ ହେବାର ସମୟ ଆସିଛି ;
WHO ରିପୋର୍ଟରେ କୁହାଯାଇଛି ଯେ ସାରା ବିଶ୍ବରେ ୪୩୦ ନିୟୁତ ଲୋକ ନିଜର ଶୁଣିବାର ଶକ୍ତି ହରାଇଛନ୍ତି । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ କି ବହୁତ ସମୟ ଧରି ଅଧିକ ଭଲ୍ୟୁମରେ ଇୟରଫୋନ କିମ୍ବା ହେଡଫୋନ ବ୍ୟବହାର କରନ୍ତି ତେବେ ଆପଣ ବି ହୋଇପାରନ୍ତି ବଧିର । ବଧିରତାକୁ ରୋକିବା ପାଇଁ ଇୟରଫୋନ କିମ୍ବା ହେଡଫୋନ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବା ଉଚିତ । ଉଚ୍ଚ ଭଲ୍ୟୁମରେ ଟିଭି ଦେଖିବା ମଧ୍ୟ ଆପଣଙ୍କ ଶୁଣିବା ଶକ୍ତିକୁ ହ୍ରାସ କରିଥାଏ । ଏପରିକି ଇୟରଫୋନ ଏବଂ ଜୋରରେ ସଂଗୀତ ଶୁଣିବା ବଧିର ହେବାର ଆହୁରି ଆଶଙ୍କା ବଢାଇଥାଏ ।