ହଷ୍ଟେଲ ଗୁଡିକୁ ପିଏନଜି ସଂଯୋଗ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ

Jun 26, 2026 - 12:49
ହଷ୍ଟେଲ ଗୁଡିକୁ ପିଏନଜି ସଂଯୋଗ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ହଷ୍ଟେଲଗୁଡ଼ିକରେ ଦୂର ହେବ ଗ୍ୟାସ ସଙ୍କଟ । ଏଲ୍‌ପିଜି (LPG) ବଦଳରେ ପିଏନଜି (PNG) ପାଇପ ଲାଇନ ସଂଯୋଗ ପାଇଁ ନିର୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଯେଉଁଠାରେ ପିଏନଜି ସଂଯୋଗ ଉପଲବ୍ଧ ଅଛି, ସେଠାରେ ତୁରନ୍ତ ଏହି ବ୍ୟବସ୍ଥା ଆପଣାଇବାକୁ କୁହାଯାଇଛି । ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଆଞ୍ଚଳିକ ନିର୍ଦ୍ଦେଶକମାନଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଛି । ଏଲ୍‌ପିଜି ଗ୍ୟାସ୍‌ ଯୋଗାଣରେ ବାରମ୍ବାର ସମସ୍ୟାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ ।

ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଏଲ୍‌ପିଜି ଯୋଗାଣରେ କୌଣସି ବାଧା ସୃଷ୍ଟି ନ ହେବା ଏବଂ ଛାତ୍ରଛାତ୍ରୀଙ୍କ ଭୋଜନ ବ୍ୟବସ୍ଥା ନିରବଚ୍ଛିନ୍ନ ରହିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପର ଦ୍ୱିତୀୟ ବୈଠକରେ ହୋଇଥିବା ଆଲୋଚନା ଏବଂ ବିଭାଗୀୟ କମିଶନର-ତଥା ସଚିବଙ୍କ ଅନୁଧ୍ୟାନ ପରେ ଏହି ପଦକ୍ଷେପ ନିଆଯାଇଛି । ଜୁନ୍ ୨୫ ତାରିଖରେ ଯୁଗ୍ମ ସଚିବ ଡକ୍ଟର ସୁଜାତା ଶୁଭଦର୍ଶିନୀ ନାୟକ ଏକ ପତ୍ର ମାଧ୍ୟମରେ ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ଜୟପୁର ଏବଂ ସମ୍ବଲପୁରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହଷ୍ଟେଲଗୁଡ଼ିକରେ ଏଲପିଜିର ଅଭାବ କିମ୍ବା ଯୋଗାଣ ସମସ୍ୟା ଉପୁଜିଲେ, ତାହାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ହେଲ୍ପଲାଇନ୍ ନମ୍ବର ପ୍ରତିଷ୍ଠା କରିବାକୁ କୁହାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ପରିଚାଳନା ସୁଗମ ହୋଇପାରିବ । ପିଏନଜି ବ୍ୟବସ୍ଥା ଗ୍ରହଣ କରିବା ଦ୍ୱାରା ଉର୍ଜା ସୁରକ୍ଷା ମଜବୁତ ହେବା ସହ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହେଲେ ସୃଷ୍ଟି ହେଉଥିବା ବିପଦ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଉଛି । ସେହିପରି, ଯେଉଁ ଶିକ୍ଷାନୁଷ୍ଠାନରେ ପିଏନ୍‌ଜି ସୁବିଧା ଉପଲବ୍ଧ ରହିଛି, ସେଠାରେ ଏଲ୍‌ପିଜି ପରିବର୍ତ୍ତେ ପିଏନ୍‌ଜି ବ୍ୟବହାର ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।