ଅଜଣା ରୋଗରେ ଉଜୁଡୁଛି ଧାନ ଫସଲ..
ନନ୍ଦିଘୋଷ ବ୍ୟୁରୋ: ଅଜଣା ରୋଗରେ ଉଜୁଡୁଛି ଧାନ ଫସଲ । ପୋଡ଼ିଯାଉଛି ପତ୍ର । କାମ ଦେଉନି କୀଟନାଶକ। ପୁରୀ ଜିଲ୍ଲା ନିମାପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅଜଣା ରୋଗ ଚାଷୀଙ୍କ ନିଦ ହଜାଇ ଦେଇଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ନଷ୍ଟ ହେବାରେ ଲାଗିଛି ଏକର ଏକର ଧାନ ଫସଲ । ବିଶେଷକରି ଉଛୁପୁରୁ, ନୂଆସନ୍ଥ, ବାମାନାଳ, ବଳଙ୍ଗା ଓ ଆଖପାଖ ବିଭିନ୍ନ ପଞ୍ଚାୟତରେ ଉଜୁଡ଼ିବାରେ ଲାଗିଛି ଧାନ ଚାଷ । ଧାନ ଗଛ ଥୋଡ଼ ଧରିବା ପୂର୍ବରୁ ଆପେ ଆପେ ପତ୍ର ପୋଡ଼ିଯାଉଛି । ହେଲେ ଏଯାଏଁ ଚାଷୀଙ୍କ ପାଖେ ପହଞ୍ଚିନାହାନ୍ତି କୃଷି ଅଧିକାରୀ ।
ଚାଷୀ ଧାର କରଜ କରି ଜମିରେ ସୁନାର ଫସଲ ଫଳାଇଥିଲେ । ବାତ୍ୟା, ବନ୍ୟା ଏବଂ ଲଗାଣ ବର୍ଷାକୁ ସାମ୍ନା କରିବା ପରେ ଏବେ ଅଜଣା ରୋଗ ଚାଷୀଙ୍କ ନିଦ ହଜାଇ ଦେଇଛି । ତୁରନ୍ତ ଏହାର ପ୍ରତିକାର କରାନଗଲେ ଆଗକୁ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ଏହା ଏକ ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ ବୋଲି ଜଣାପଡ଼ିଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦% ରିହାତିରେ ଔଷଧ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ଅଧିକାରୀ।
ପତ୍ରପୋଡ଼ା ପରି ରୋଗର ପ୍ରତିକାର ଦିଗରେ କୃଷି ବିଭାଗ କି ପଦକ୍ଷେପ ନେଉଛି ? ଚାଷୀଙ୍କୁ କେବେ ଉପଯୁକ୍ତ ସହାୟତା ମିଳୁଛି ? ନା ଚାଷୀଙ୍କୁ ତିଳତିଳ ହୋଇ ଜଳିବାକୁ ଛାଡ଼ିଦେବେ ସରକାର ? ତାହା ସମୟ କହିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
