୫୮ତମ ଆନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ ଭାରତର ଐତିହାସିକ ସଫଳତା
ନୂଆଦିଲ୍ଲୀ: ଉଜବେକିସ୍ତାନର ତାସକେଣ୍ଟରେ ଆୟୋଜିତ ୫୮ତମ ଆନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ (ଆଇସିଏଚ୍ଓ)–୨୦୨୬ରେ ଭାରତ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ଦଳର ସମସ୍ତ ଚାରିଜଣ ସଦସ୍ୟ ସ୍ୱର୍ଣ୍ଣ ପଦକ ଜିତିବା ସହ ଚୀନ୍, ଭିଏତନାମ ଏବଂ ଜଣେ ବ୍ୟକ୍ତିଗତ ପ୍ରତିଯୋଗୀ (ରୁଷ)ଙ୍କ ସହ ମିଳିତ ଭାବେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତା ଜୁଲାଇ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ତାସକେଣ୍ଟରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୯୩ଟି ଦେଶର ୩୬୩ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହା ଥିଲା ଆନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ ଭାରତର ୨୭ତମ ଅଂଶଗ୍ରହଣ ଏବଂ ଏପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ପ୍ରଦର୍ଶନ।
ସ୍ୱର୍ଣ୍ଣ ପଦକ ବିଜେତା ଚାରିଜଣ ଭାରତୀୟ ଛାତ୍ର ହେଉଛନ୍ତି
୧.ଦେବଦତ୍ତ ପ୍ରିୟଦର୍ଶୀ, ଭୁବନେଶ୍ୱର, ଓଡ଼ିଶା
୨.ହର୍ଷିତ ସିଂଘଲ, ମଣ୍ଡି ଗୋବିନ୍ଦଗଡ଼, ପଞ୍ଜାବ
୩.କବୀର ଛିଲ୍ଲର, ଦିଲ୍ଲୀ
୪.ସନ୍ଦୀପ କୁଚି, ହାଇଦ୍ରାବାଦ, ତେଲେଙ୍ଗାନା
ଭାରତୀୟ ଦଳର ମୁଖ୍ୟ ପରାମର୍ଶଦାତା ଭାବେ ଆଇଆଇଏସଇଆର୍ କୋଲକାତାର ପ୍ରଫେସର ସୁଭାଜିତ ବନ୍ଦ୍ୟୋପାଧ୍ୟାୟ ଏବଂ ପରାମର୍ଶଦାତ୍ରୀ ଭାବେ ହୋମି ଭାଭା ବିଜ୍ଞାନ ଶିକ୍ଷା କେନ୍ଦ୍ର (ଏଚ୍ବିସିଏସ୍ଇ)ର ଡ଼. ଇନ୍ଦ୍ରାଣୀ ଦାସ ସେନ୍ ଦଳର ନେତୃତ୍ୱ ନେଇଥିଲେ। ଦଳ ସହ ବୈଜ୍ଞାନିକ ପର୍ଯ୍ୟବେକ୍ଷକ ଭାବେ ଆଇଆଇଟି ଖଡ଼ଗପୁରର ଡ଼. ଅନୁବେନ୍ଦୁ ଅଧିକାରୀ ଏବଂ ମୁମ୍ବାଇର ଏନଇଏସ୍ ରତ୍ନମ କଲେଜର ଡ଼. ଜୟଶ୍ରୀ ଗୋପାଳକୃଷ୍ଣନ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଆନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ (ଆଇସିଏଚ୍ଓ) ହେଉଛି ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱର ସର୍ବବୃହତ ଏବଂ ସର୍ବୋଚ୍ଚ ରସାୟନ ବିଜ୍ଞାନ ପ୍ରତିଯୋଗିତା। ୧୯୬୮ ମସିହାରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ଅଲିମ୍ପିଆଡ୍ରେ ବିଶ୍ୱର ଶ୍ରେଷ୍ଠ ଯୁବ ରସାୟନ ବିଜ୍ଞାନ ପ୍ରତିଭାମାନେ ତାତ୍ତ୍ୱିକ ଓ ପ୍ରାୟୋଗିକ ପରୀକ୍ଷାରେ ଅଂଶଗ୍ରହଣ କରନ୍ତି। ଭାରତ ୧୯୯୯ ମସିହାରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି। ଟାଟା ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ (ଟିଆଇଏଫଆର) ଅଧୀନସ୍ଥ ଏଚ୍ବିସିଏସ୍ଇ ଜାତୀୟ ସ୍ତରର ଚୟନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥାଏ। ଏହା ପୂର୍ବରୁ ଭାରତୀୟ ଛାତ୍ରଛାତ୍ରୀମାନେ ଏହି ଅଲିମ୍ପିଆଡ୍ରେ ୩୧ଟି ସ୍ୱର୍ଣ୍ଣ, ୫୫ଟି ରୌପ୍ୟ ଏବଂ ୧୮ଟି ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୨୫ ମସିହାରେ ଭାରତ ୨ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ହାସଲ କରିଥିଲା। ୨୦୨୬ରେ ଚାରିଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଭାରତ ଏହି ପ୍ରତିଯୋଗିତାରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ମିଳିତ ଭାବେ ପ୍ରଥମ ସ୍ଥାନ ହାସଲ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।