ନିଜ ଅଫିସ ଭିତରେ ଡିଜିପିଙ୍କ ମୃତଦେହ ଉଦ୍ଧାର

Jul 20, 2026 - 15:15
ନିଜ ଅଫିସ ଭିତରେ ଡିଜିପିଙ୍କ ମୃତଦେହ ଉଦ୍ଧାର

ତ୍ରିପୁରା : ସାରା ତ୍ରିପୁରା ସ୍ତବ୍ଧ । ନିଜ ଅଫିସ ଭିତରେ ଉଦ୍ଧାର ହେଲା ଡିଜିପିଙ୍କ ମୃତଦେହ । ତ୍ରିପୁରା ଅଗରତାଲା ସ୍ଥିତ ପୋଲିସ ମୁଖ୍ୟାଳୟରୁ ରାଜ୍ୟ ପୋଲିସର ସର୍ବୋଚ୍ଚ ଅଧିକାରୀ ଡିଜିପି ଅନୁରାଗ ଧନକରଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ, ଏହି ଅପ୍ରତ୍ୟାଶିତ ଘଟଣା ସମଗ୍ର ପୋଲିସ ବିଭାଗରେ ଶୋକର ଛାୟା ଖେଳାଇଦେଇଛି । ଘଟଣାର ପ୍ରକୃତ କାରଣ କ'ଣ, ତାହାକୁ ନେଇ ତଦନ୍ତ ଜାରି ରହିଛି । ମୃତଦେହ ଉଦ୍ଧାର କରାଯିବା ପରେ ତୁରନ୍ତ ଆଗରତଲାର ଜିବି ହସପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ହସପିଟାଲରେ ତାଙ୍କ ମୃତଦେହ ରହିଛି । କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଇଛନ୍ତି, ତାହାର ତଦନ୍ତ କରାଯାଉଛି ।

ସେ ନିଜ ସର୍ଭିସ ରିଭଲଭରରୁ ଗୁଳିକରି ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନା ମିଳିଛି  । ଘଟଣା ପରେ ମୁଖ୍ୟମନ୍ତ୍ରୀ ମାଣିକ ସାହା, ମୁଖ୍ୟ ଶାସନ ସଚିବ ଜେ.କେ. ସିହ୍ନା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ହସପିଟାଲରେ ପହଞ୍ଚିଛନ୍ତି । 

୧୯୯୪ ବ୍ୟାଚ୍‌ର ତ୍ରିପୁରା କ୍ୟାଡର୍‌ର ବରିଷ୍ଠ ଆଇପିଏସ ଅଧିକାରୀ । ମେ ୨୦୨୫ରୁ ସେ ତ୍ରିପୁରା ପୋଲିସର ମହାନିର୍ଦ୍ଦେଶକ (DGP) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କର ପ୍ରାୟ ୩୦ ବର୍ଷର ସେବା କାଳ ମଧ୍ୟରେ ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI), ସୀମା ସୁରକ୍ଷା ବାହିନୀ (BSF) ଏବଂ ଜାତିସଂଘର କୋସୋଭୋ ମିଶନ୍ (United Nations Mission in Kosovo) ସମେତ ଗୁଇନ୍ଦା ବିଭାଗରେ ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।