ୟୁରୋପରେ ଭୀଷଣ ଗ୍ରୀଷ୍ମ ଲହରୀ, ସପ୍ତାହକରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

Jun 30, 2026 - 16:34
ୟୁରୋପରେ ଭୀଷଣ ଗ୍ରୀଷ୍ମ ଲହରୀ, ସପ୍ତାହକରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ବର୍ଲିନ୍/ପ୍ୟାରିସ୍: ୟୁରୋପ ମହାଦେଶ ଏବେ ଇତିହାସର ସବୁଠାରୁ ଭୟଙ୍କର ଗ୍ରୀଷ୍ମ ପ୍ରବାହକୁ ସାମ୍ନା କରୁଛି। ପ୍ରବଳ ଗରମ ଯୋଗୁ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରେ ତାପମାତ୍ରା ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହା ସ୍ଥାନୀୟ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ପରିସ୍ଥିତି ଏପରି ଚରମ ସ୍ତରରେ ପହଞ୍ଚିଛି ଯେ ବାହାରେ ରଖାଯାଇଥିବା ‘ଫ୍ରାଇଂ ପ୍ୟାନ୍‌’ରେ ଲୋକେ ମାତ୍ର କେଇ ମିନିଟରେ ଅଣ୍ଡା ଓ ମାଂସ ସହଜରେ ରାନ୍ଧିପାରୁଥିବାର ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜର୍ମାନୀର ଲିପଜିଗ୍ ସହରରେ ପ୍ରବଳ ତାପମାତ୍ରା ଯୋଗୁ ଟ୍ରାମ (ସ୍ୱତନ୍ତ୍ର ପ୍ରକାରର ରେଳ ଯାନ) ଚାଲୁଥିବା ଲୁହା ଟ୍ରାକ୍ ସମ୍ପୂର୍ଣ୍ଣ ତରଳି ଯାଇଥିବାରୁ ଗତ ସପ୍ତାହ ଶେଷରେ ସେଠାରେ ଟ୍ରାମ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିଥିଲା। ଏହା ସହିତ ଦୋକାନ ବଜାର ଭିତରେ ଚକୋଲେଟ୍, ବଜାର କରିବା ଟ୍ରଲି ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ତରଳି ଯାଉଥିବା ବେଳେ ବର୍ଲିନରେ ସହରବାସୀଙ୍କୁ ଶୀତଳତା ପ୍ରଦାନ କରିବା ପାଇଁ ପୋଲିସ ୱାଟର କାନନ ଜରିଆରେ ପାଣି ମାଡ଼ କରୁଥିବା ଦେଖିବାକୁ ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ ଏହି ସଙ୍କଟ ଉପରେ ଗଭୀର ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ୟୁରୋପ ହେଉଛି ପୃଥିବୀର ସବୁଠାରୁ ଦ୍ରୁତ ଗତିରେ ଗରମ ହେଉଥିବା ମହାଦେଶ ଏବଂ ବର୍ତ୍ତମାନ ପ୍ରାୟ ୧୫ କୋଟି ଲୋକ ଅସହ୍ୟ ଗରମ ମଧ୍ୟରେ ଜୀବନ ବିତାଉଛନ୍ତି। ଗତ ଜୁନ୍ ୨୧ ତାରିଖ ପରଠାରୁ ପ୍ରବଳ ତାପମାତ୍ରା ଯୋଗୁଁ ୟୁରୋପରେ ୧,୩୦୦ ରୁ ଅଧିକ ଅତିରିକ୍ତ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ଚେକ୍ ଗଣରାଜ୍ୟରେ ତାପମାତ୍ରା ୪୧.୯ ଡିଗ୍ରୀ, ଜର୍ମାନୀରେ ୪୧.୭ ଡିଗ୍ରୀ ଏବଂ ପୋଲାଣ୍ଡରେ ୪୦.୫ ଡିଗ୍ରୀ ସେଲସିୟସ୍ ଛୁଇଁଛି। ଗରମର ଏହି ପ୍ରକୋପ ୟୁରୋପୀୟ ଘର ଓ ସ୍କୁଲଗୁଡ଼ିକ ପାଇଁ ଏକ ‘ସାଇଲେଣ୍ଟ କିଲର’ ସଦୃଶ ସାବ୍ୟସ୍ତ ହୋଇଛି, କାରଣ ଏହି ସ୍ଥାପତ୍ୟଗୁଡ଼ିକ ଏଭଳି ପ୍ରଚଣ୍ଡ ଉତ୍ତାପକୁ ସହ୍ୟ କରିବା ପାଇଁ ପ୍ରସ୍ତୁତ ହୋଇନଥିଲା।
ଅନ୍ୟପଟେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଶବଗୃହ ଗୁଡ଼ିକରେ ସାଂଘାତିକ ସ୍ଥିତି ଉପୁଜିଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ ବୁଧବାର ଠାରୁ ଦେଶରେ ସାଧାରଣ ସମୟ ଅପେକ୍ଷା ୧,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଜାତୀୟ ଫ୍ୟୁନେରାଲ ଫେଡେରେସନ ପକ୍ଷରୁ କୁହାଯାଇଛି ଯେ ସମଗ୍ର ଫ୍ରାନ୍ସରେ ଶବ ସଂରକ୍ଷଣ ଗୃହଗୁଡ଼ିକ ପ୍ରାୟ ୬୦ ପ୍ରତିଶତରୁ ଅଧିକ ଭର୍ତ୍ତି ହୋଇସାରିଥିବା ବେଳେ ସେଣ୍ଟ୍ରାଲ ପ୍ୟାରିସରେ ଥିବା ସଂସ୍କାର ଗୃହଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ପୂର୍ଣ୍ଣ ହୋଇଯାଇଛି। ଏଥିପାଇଁ ମୃତକଙ୍କ ପରିବାର ଲୋକଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ସହର ବାହାର ସଦର ମହକୁମାକୁ ଯିବାକୁ ପଡ଼ୁଛି।