ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ବାରିପଦାରେ ମହାପ୍ରଭୁଙ୍କ ଦେବସ୍ନାନ କାର୍ଯ୍ୟ ସମ୍ପନ୍ନ

Jun 29, 2026 - 16:47
ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ବାରିପଦାରେ ମହାପ୍ରଭୁଙ୍କ ଦେବସ୍ନାନ କାର୍ଯ୍ୟ ସମ୍ପନ୍ନ

ବାରିପଦା :  ଶ୍ରୀକ୍ଷେତ୍ର ପୁରୀ ଭଳି ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ସହରରେ ମଧ୍ୟ 'ଶ୍ରୀଶ୍ରୀ ହରିବଳଦେଵ ଜୀଉ'ଙ୍କ ସ୍ନାନଯାତ୍ରା ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେଉଛି । ନିର୍ଦ୍ଧାରିତ ନୀତିକାନ୍ତି ସୂଚୀ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଛି । ସକାଳ ୫ଟା ୩୦ରୁ ସ୍ନାନ ମଣ୍ଡପକୁ ଗୋଟି ପହଣ୍ଡିରେ ତିନି ଦିଅଁ ବିଜେ କରିବା ପରେ ଗଙ୍ଗାଙ୍କ ଆବାହନ କରାଯାଇ ଅମୃତ ସ୍ନାନ, ପଇଡ ପାଣି ସ୍ନାନ ଏବଂ ତାପରେ ପ୍ରତ୍ୟେକଙ୍କୁ ୧୦୮ କୁମ୍ଭ ଜଳରେ ଶ୍ରୀ ଜୀଉ ମାନଙ୍କର ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି । ଏହାପରେ ତିନି ଠାକୁରଙ୍କର ଚନ୍ଦନ ବେଶ ଏବଂ ଫୁଲ ବେଶ ହୋଇ ସାହାଣମେଲା ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ଶ୍ରୀଜିଉମାନେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଏହି ପବିତ୍ର ଅବସରରେ ସ୍ନାନ ମଣ୍ଡପରେ ଏକ ଭିନ୍ନ ତଥା ପ୍ରେରଣାଦାୟୀ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ହେଉଛି ମହାପ୍ରଭୁଙ୍କ ସେବାରେ ନିୟୋଜିତ ଥିବା ଯୁବ ସେବାୟତଙ୍କ ନିଷ୍ଠା ।

ପିଢ଼ି ପିଢ଼ି ଧରି ଯେଉଁ ପରିବାରର ପୂର୍ବପୁରୁଷମାନେ ମହାପ୍ରଭୁଙ୍କ ସେବା କରିଆସୁଥିଲେ, ଏବେ ସେହି ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ନୂତନ ପିଢ଼ିର ଯୁବକମାନେ ଉତ୍ସାହର ସହ ଆଗେଇ ଆସିଛନ୍ତି । ଏହି ଯୁବ ସେବାୟତମାନେ ବାହାରେ ଉଚ୍ଚଶିକ୍ଷା ଲାଭ କରୁଥିଲେ ମଧ୍ୟ ମହାପ୍ରଭୁଙ୍କ ବିଧିବିଧାନ ଓ ସେବାକୁ ଭୁଲି ନାହାନ୍ତି । ପାଠପଢ଼ା ଏବଂ ନିଜର ବ୍ୟକ୍ତିଗତ କ୍ୟାରିୟର ସହିତ ଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରି ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ।

ଜଣେ ଯୁବ ସେବାୟତ କହିଛନ୍ତି "ଆମେ ଯେତେ ପାଠ ପଢ଼ିଲେ ମଧ୍ୟ କିମ୍ବା ଯେଉଁଠି ରହିଲେ ମଧ୍ୟ ମହାପ୍ରଭୁଙ୍କ ସେବା କରିବା ହେଉଛି ଆମର ପରମ ସୌଭାଗ୍ୟ । ଆମ ବାପା, ଜେଜେବାପାମାନେ ଯେଉଁ ପରମ୍ପରା ରକ୍ଷା କରିଥିଲେ, ତାହାକୁ ବଞ୍ଚାଇ ରଖିବା ଆମର କର୍ତ୍ତବ୍ୟ ।" 

ସେପଟେ, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିରରେ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି । ବଡ଼ବଜାର ବଡ଼ ଦାଣ୍ଡରେ ଭଗବାନ ଓ ଭକ୍ତ ଏକାଠି ହୋଇଛନ୍ତି । ତେବେ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ସକାଳ ସମୟରୁ ରାତି ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଦେଇ ଯାନବାହାନ ଚଳାଚଳର ରୁଟ୍ ପରିବର୍ତ୍ତନ କରାଯାଇଛି ।