ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!
ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ ଜୁଲାଇ ୧୯ରେ ଐତିହାସିକ ଲର୍ଡସ ମଇଦାନରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମ୍ୟାଚ୍ ପରେ ରୋହିତ ଶର୍ମାଙ୍କ ଦିନିକିଆ (ODI) କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ରୋହିତଙ୍କ ପିତାମାତା ଗୁରୁନାଥ ଶର୍ମା ଏବଂ ପୂର୍ଣ୍ଣିମା ଶର୍ମା ପୁଅର ଏହି ଶେଷ ମ୍ୟାଚ୍ ଦେଖିବା ପାଇଁ ଲଣ୍ଡନରେ ପହଞ୍ଚି ସାରିଛନ୍ତି। ଏହା ପରେ ରବିବାର ଦିନ ଲର୍ଡସ ମଇଦାନରେ ରୋହିତ ଶେଷଥର ପାଇଁ ଭାରତୀୟ ଜର୍ସିରେ ଖେଳୁଥିବାର ନଜର ଆସିବେ ବୋଲି ଅନୁମାନ କରାଯାଉଛି।
ରିପୋର୍ଟ ଅନୁସାରେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ହେଡ୍ କୋଚ୍ ଗୌତମ ଗମ୍ଭୀର ଗତ ସପ୍ତାହରେ ରୋହିତଙ୍କୁ ଭେଟି ଟିମ୍ ଇଣ୍ଡିଆର ଆଗାମୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ୨୦୨୭ ଦିନିକିଆ ବିଶ୍ୱକପ୍କୁ ନଜରରେ ରଖି ଚୟନକର୍ତ୍ତା ରୋହିତଙ୍କ ନାଁ ଉପରେ ବିଚାର କରୁନାହାନ୍ତି। ଏହା ତାଙ୍କର ଶେଷ ଆନ୍ତର୍ଜାତୀୟ ସିରିଜ ହୋଇପାରେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଚୟନ କମିଟି ଏବେ ଯୁବ ଖେଳାଳିଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଛି, ଯେଉଁଥିରେ ଯଶସ୍ବୀ ଜୟସ୍ବାଲଙ୍କୁ ଭବିଷ୍ୟତର ଓପନର୍ ଭାବେ ପ୍ରସ୍ତୁତ କରାଯାଉଛି। ଏହି କାରଣରୁ ରୋହିତ ଶର୍ମାଙ୍କ ପିତାମାତା ଲଣ୍ଡନ ପହଞ୍ଚିଛନ୍ତି ଏବଂ ଏହି ଶେଷ ମ୍ୟାଚ୍ ଦେଖିବା ପାଇଁ ସେମାନେ ଷ୍ଟାଡିୟମରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ତେବେ ଏହା ରୋହିତଙ୍କ ଶେଷ ମ୍ୟାଚ ହେବ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ କିମ୍ବା ବିସିସିଆଇ (BCCI) ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ।
ଆଉ ଏକ ରିପୋର୍ଟ ମୁତାବକ, ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ହିଁ ରୋହିତଙ୍କ ଶେଷ ସିରିଜ ହେବାର ଥିଲା। କିନ୍ତୁ ସେହି ସିରିଜ୍ରେ ସେ ଏକ ଅର୍ଦ୍ଧଶତକ ମାରିଥିଲେ। ଏହାପରେ ଚୟନକର୍ତ୍ତା ଏହି ନିଷ୍ପତ୍ତିକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ। ହେଲେ ଚଳିତ ଇଂଲଣ୍ଡ ସିରିଜ୍ରେ ରୋହିତଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ଶାନ୍ତ ରହିଛି। ପ୍ରଥମ ଦିନିକିଆରେ ମାତ୍ର ୧୧ ରନ କରିବା ପରେ କାର୍ଡିଫ୍ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ସେ ୪୭ଟି ବଲ୍ରୁ ମାତ୍ର ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ଏହି ଖରାପ ଫର୍ମ ହିଁ ଶେଷରେ ତାଙ୍କୁ ଏହି ବଡ଼ ନିଷ୍ପତ୍ତି ଆଡ଼କୁ ଟାଣି ଆଣିଛି।
କହିରଖୁଛୁ, ରୋହିତ ଅନ୍ତର୍ଜାତୀୟ କ୍ରିକେଟ୍ର ଦୁଇଟି ଫର୍ମାଟ୍ରୁ ଆଗରୁ ଅବସର ନେଇସାରିଛନ୍ତି। ୨୯ ଜୁନ ୨୦୨୪ରେ ବାରବାଡୋସ୍ରେ ଭାରତକୁ ଟି-୨୦ ବିଶ୍ୱକପ ଜିତାଇବା ପରେ ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଏହାପରେ,୨୦୨୫ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସେ ଟେଷ୍ଟ କ୍ରିକେଟ୍ରୁ ମଧ୍ୟ ଅବସର ନେଇଥିଲେ। ଏବେ ଲର୍ଡସ ମଇଦାନରେ ସେ ନିଜର ୫୦ ଓଭର ଫର୍ମାଟ (ଦିନିକିଆ) କ୍ୟାରିୟରରେ ମଧ୍ୟ ପୂର୍ଣ୍ଣଛେଦ ପକାଇପାରନ୍ତି ବୋଲି ଆଲୋଚନା ବଢ଼ିବାରେ ଲାଗିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।