ସୁସ୍ଥ ହେବେ ମହାପ୍ରଭୁ, ଲାଗିହେବ ଦଶମୂଳ ମୋଦକ
ପୁରୀ : ଅଣସର ଘରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଏକାଦଶୀ ତିଥିରେ ଦଶମୂଳ ମୋଦକ ଲାଗି ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ରାଜବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହୋଇଥିବା ବେଳେ ଆଜି ଏହାକୁ ଲାଗି ହେବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଗତକାଲି ଚକା ବିଜେ ପରେ ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି କରାଯିବ। ସ୍ୱର୍ଗତ ରାଜବୈଦ୍ୟ ବିନାୟକ ମିଶ୍ରଙ୍କ ପରିବାର ପକ୍ଷରୁ ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହିତ ମୋଦକ ପ୍ରସ୍ତୁତ କରାଯାଇଛି।
ସେହିପରି ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡ଼ରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହମାନଙ୍କୁ ଲାଗି କରାଯିବାର ବିଧି ରହିଛି । ଆଜି ମହାପ୍ରଭୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରିବା ପରେ ତୁଳସୀ ଲାଗି ହେବ । ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।
ଅଣସର ୧୦ ଦିନ ଧରି ଜ୍ୱର ଯୋଗୁଁ ଘଣ୍ଟ ବାଜିବା ବନ୍ଦ ରହିଥିଲା । ଆଜି ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି । ଏକାଦଶୀ ତିଥିର ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି ।
ଆସନ୍ତାକାଲି ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତି ମହାରାଜଙ୍କୁ ପ୍ରଦାନ କରିବେ ଦଇତାପତି ସେବାୟତ । ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି । ଦଶମୀରେ ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।