ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍
ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ରକୁ। ଏନେଇ ରାସ୍ତାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। କିଲୋମିଟର କିଲୋମିଟର ଯାଏ ଲମ୍ବିଛି ଗାଡ଼ିର ଲମ୍ବା ଲାଇନ।
ସୂଚନା ମୁତାବକ, ପୁରୀକୁ ଭୁବନେଶ୍ବର ଆଡ଼ ପ୍ରତି ମିନିଟରେ ୪୦ରୁ ଊର୍ଦ୍ଧ୍ୱ ଗାଡ଼ି ପ୍ରବେଶ କରୁଥିବା ବେଳେ ବାହାରୁଛି ମାତ୍ର ୪ରୁ ୫ ଗାଡି। ଫଳରେ ପାର୍କିଂ ସମସ୍ୟା ସଂଗୀନ ହୋଇପଡିଥିବା ବେଳେ ବିଭିନ୍ନ ସ୍ଥାନରେ ପାର୍କିଂ ଫୁଲ ହୋଇଯିବାରୁ ଗେଟ୍ ବନ୍ଦ କରିଦିଆଯାଇଛି। ତାଳବଣିଆରେ ଗାଡ଼ି ଫୁଲ, ଅନ୍ୟ ପାର୍କିଂ ପ୍ଲେସ ମଧ୍ୟ ଟଳମଳ ହୋଇ ପଡିଛି। ଗାଡି ରଖିବାକୁ କଲବଲ ହେଇଛନ୍ତି ଶ୍ରଦ୍ଧାଳୁ।
ଏପଟେ ଟ୍ରାଫିକ ସ୍ଥିତି ଉପରେ ରଖାଯାଇଛି କଡ଼ା ନଜର ରହିଛି। ୪୦୦ ସିସି କ୍ୟାମେରା ସହିତ ପୁରୀର ଟ୍ରାଫିକ କଣ୍ଟ୍ରୋଲ ସେଣ୍ଟର ଓ କମିଶନରେଟ ପୋଲିସର ସ୍ମାର୍ଟସିଟି କଣ୍ଟ୍ରୋଲ ରୁମକୁ ଇଣ୍ଟିଗ୍ରେଟେଡ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ପୋଲିସ ଡିଜି ଟ୍ରାଫିକ କଣ୍ଟ୍ରୋଲ ସେଣ୍ଟରକୁ ଯାଇ ସମୀକ୍ଷା କରିଥିବା ବେଳେ ଟୁଇନସିଟି କମିଶନର ରାସ୍ତାକୁ ଓହ୍ଲାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ପ୍ରତିବର୍ଷ ସୁନାବେଶରେ ପୁରୀ-ଭୁବନେଶ୍ବର ରାସ୍ତା ଜାମ ସ୍ଥିତି ଅସମ୍ଭାଳ ହୋଇପଡିଛି। ବର୍ଷ ବର୍ଷକୁ ଶ୍ରଦ୍ଧାଳୁଙ୍କ ଆଗମନ ବଢୁଥିବା ବେଳେ ଟ୍ରାଫିକ ସମସ୍ୟା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।