ଦିଗପହଣ୍ଡିରେ ବାହୁଡ଼ା ଯାତ୍ରାର ଦିନକ ପରେ ଟଣା ହେଲା ରଥ, ସହସ୍ରାଧିକ ଭକ୍ତଙ୍କ ସମାଗମ
ଦିଗପହଣ୍ଡି,୨୫ା୭(ଅଶେଷ ନାଥ ମିଶ୍ର): ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିରେ ବାହୁଡ଼ା ଯାତ୍ରାର ଦିନକ ପରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ହରିଶୟନ ଏକାଦଶୀ ତିଥିରେ ଶନିବାର ମହାପ୍ରଭୁଙ୍କ ରଥଟଣା ଅନୁଷ୍ଠିତ ହୋଇଯାଇଛି। ପୁରୀର ପବିତ୍ର ଗୁଣ୍ଡିଚା ଯାତ୍ରା ପରମ୍ପରା ଭଳି ଦିଗପହଣ୍ଡିରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ବାସି ବାହୁଡ଼ାଯାତ୍ରା ସମସ୍ତ ନୀତିକାନ୍ତି ସହ ସୁଚାରୁରୂପେ ସମ୍ପନ୍ନ ହୋଇଛି।
ଶୁକ୍ରବାର ଅପରାହ୍ନରେ ଗୋଟି ପହଣ୍ଡିରେ ଚତୁର୍ଧାମୂର୍ତ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ରଥାରୂଢ଼ କରାଯାଇଥିଲା। ପରେ ବଡ଼ଖେମୁଣ୍ଡି ଯୁବରାଜ ଲକ୍ଷ୍ମୀନାରାୟଣ ଦେବଙ୍କ ଦ୍ୱାରା ରଥ ଉପରେ ଛେରାପହଁରା ନୀତି ଅନୁଷ୍ଠିତ ହେବା ପରେ ସନ୍ଧ୍ୟା ଆଳତୀ କରାଯାଇଥିଲା। ରବିବାର ପବିତ୍ର ହରିଶୟନ ଏକାଦଶୀ ତିଥିରେ ସକାଳୁ ଦିନତମାମ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ବିଜେ କରିଥିବା ଶ୍ରୀଜିଉମାନେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।
ପୂର୍ବାହ୍ନ, ମଧ୍ୟାହ୍ନ ଏବଂ ଅପରାହ୍ନର ସମସ୍ତ ନୀତିକାନ୍ତି ରଥ ଉପରେ ଶେଷ ହେବା ପରେ ଅପରାହ୍ନ ପ୍ରାୟ ୫ଟାରେ ଶ୍ରୀମନ୍ଦିର ଅଭିମୁଖେ ରଥ ଗଡ଼ିବା ଆରମ୍ଭ କରିଥିଲା। ଘଣ୍ଟ, କାହାଳୀ, ଧୂମଧଡ଼ାକା, ସଙ୍କୀର୍ତ୍ତନ ସହ ହରିବୋଲ ଓ ହୁଳହୁଳି ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ବଡ଼ଦାଣ୍ଡରେ ସହସ୍ରାଧିକ ଭକ୍ତଙ୍କ ରଥଟଣା ଦୃଶ୍ୟ ସତେଯେମିତି ଜନସମୁଦ୍ରର ଲହଡ଼ି ଭାଙ୍ଗିବା ଭଳି ପ୍ରତୀତ ହେଉଥିଲା।
ରଥ ଗୁଡ଼ିଆଗଳି ଛକ ନିକଟରେ ପହଞ୍ଚିବା ପରେ ରାଜପୁରୋହିତ ଦେବୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ ମା’ ମାହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନରେ ଆସି ଜଗନ୍ନାଥଙ୍କ ସମ୍ମୁଖରେ ବିଜେ ହୋଇଥିଲେ। ରଥ ଉପରେ ବନ୍ଦାପନା ଓ ଲକ୍ଷ୍ମୀଭେଟ ନୀତି ସମ୍ପନ୍ନ ହେବା ପରେ ପୁନର୍ବାର ରଥ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଆସି ଲାଗିଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିପରି ସାନଦାଣ୍ଡ ସାହିସ୍ଥିତ ସାନରଥ ଉପରେ ବିଜେ ଶ୍ରୀ ଦଧିବାମନଙ୍କ ବାହୁଡ଼ାଯାତ୍ରା ରଥଟଣା ମଧ୍ୟ ଯଥାରୀତି ସନ୍ଧ୍ୟାରେ ଶୃଙ୍ଖଳିତ ଭାବେ ଶେଷ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।