ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

May 18, 2026 - 13:31

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ ତଥା ଓଡ଼ିଶା ପାଇଁ ଗୌରବ ଆଣିଦେଇଛି। ନୂଆଦିଲ୍ଲୀରେ ଆୟୋଜିତ ସିଆଇଆଇ ବାର୍ଷିକ ବ୍ୟବସାୟ ଭେଟଘାଟ୍‌ ୨୦୨୬ ଅବସରରେ ମଙ୍ଗଳବାର ତାଙ୍କୁ ଏହି ସମ୍ମାନ ମିଳିଥିବା ଜଣାପଡ଼ିଛି। ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲକ୍ଷ୍ମୀଙ୍କ ସମେତ ଭାରତର ବିଭିନ୍ନ ରାଜ୍ୟରୁ ମୋଟ୍‌ ୩୭୬ ଜଣ ମହିଳା ଏହି ସମ୍ମାନ ପାଇଁ ଆବେଦନ କରିଥିଲେ, ଏଥିମଧ୍ୟରୁ ୨୦ ଜଣ ମାତୃଶକ୍ତିଙ୍କୁ ଚଳିତ ବର୍ଷର ଓମେନ ଏକ୍ଜମ୍ପଲାର ଆଓ୍ବାର୍ଡ୍‌ରେ ସମ୍ମାନିତ କରାଯାଇଥିଲା। ଭାରତ ସରକାରଙ୍କ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଉପସ୍ଥିତ ରହି ଏହା ପ୍ରଦାନ କରିଥିଲେ।

୧୯୯୩ରୁ ଲକ୍ଷ୍ମୀପ୍ରିୟା ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କର ନିଷ୍ଠାପରତା, ସଚ୍ଚୋଟତା, ଭଲପାଇବା ଏବଂ ସହଯୋଗ ଗୁଣାବଳୀ ପାଇଁ ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇପାରିଛନ୍ତି।
ପରବର୍ତ୍ତୀ ସମୟରେ ସେ ୨୦୧୦ ରେ ଆଇ.ଜି.ଏସ (IGS) ସହ ଯୋଡ଼ି ହେବାପରେ ମଙ୍ଗଳାଯୋଡ଼ି ଇକୋ ଟୁରିଜିମରୁ ଆରମ୍ଭ କରି ରାୟଗଡ଼ା, ଶିମିଳିପାଳ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁରରେ ମହିଳାମାନଙ୍କ ଜୀବନ ଜୀବିକା ପାଇଁ କାମ ଜାରି ରଖିଛନ୍ତି। ଆଜି ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୪୭ ହଜାର ୨୨୩ ପରିବାର ପାଖରେ ପହଞ୍ଚିବା ସହ ୧୨ ହଜାର ୪୩୫ ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରିପାରିଥିବା କହିଛନ୍ତି।

ଲକ୍ଷ୍ମୀ ଏହି ଆଓ୍ବାର୍ଡ ପାଇବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ବିଭିନ୍ନ ବାଧାବିଘ୍ନ ଓ ପ୍ରତିବନ୍ଧକ ଦେଇ ଗତିକରି ଏ ସ୍ଥାନରେ ପହଞ୍ଚିପାରିଛି। ଏହା ପଛରେ ଡଃ ସଞ୍ଜୀବ ଷଡ଼ଙ୍ଗୀ ଆଇଜିଏସର ସିଓଓଙ୍କ ପ୍ରେରଣା ଓ ଉତ୍ସାହ ଏବଂ ସହକର୍ମୀ ତଥା କର୍ମକ୍ଷେତ୍ରର ମହିଳାମାନଙ୍କ ଭଲପାଇବା ପାଇଁ ସମ୍ଭବ ହୋଇପାରିଛି।
ଆଗକୁ ବିଭିନ୍ନ ସ୍ତରରେ ସହଯୋଗ ମିଳିଲେ ମହିଳାମାନଙ୍କ ପାଇଁ ସେଣ୍ଟର୍‌ ଅଫ ଏକ୍ସେଲେନ୍ସି ଗଠନ କରି ନୂତନ ଜ୍ଞାନ, କୌଶଳ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Dharitri – Odisha’s No.1 Odia Daily

The post ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।