ସାନ ମାଈଁ-ଭଣଜାଙ୍କ ପ୍ରେମ ସମ୍ପର୍କ ଧରାପଡ଼ିବାରୁ ଡବର୍ଲ ମର୍ଡର, ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…
ବ୍ରହ୍ମପୁର,୨୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଜରଡ଼ା ଥାନା ଅଞ୍ଚଳରେ ୨୦୨୪ରେ ମା’ ଓ ୭ ବର୍ଷୀୟ ପୁଅଙ୍କୁ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଓପିଆଇଡି କୋର୍ଟ ଜଜ୍ ସଙ୍ଗୀତା ପାଣି ଏହି ମାମଲାର ୨ ଅଭିଯୁକ୍ତ ତଥା ମାଈଁ ଓ ଭଣଜାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତଦ୍ୱୟ ହେଲେ ଜରଡ଼ା ଥାନା ଅନ୍ତର୍ଗତ ଚୁଡାଲାଞ୍ଜି ଗ୍ରାମର ଡି.ଗୁନାମ୍ମା ରେଡ୍ଡୀ ଓରଫ କୁନାମ୍ମା (୨୭) ଓ ତାଙ୍କ ଭଣଜା ଜି. ଦେବେନ୍ଦ୍ର ରେଡ୍ଡୀ (୨୬)। ଜେଲ ସହ ଉଭୟଙ୍କୁ ୭ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଜରିମାନା ଅନାଦେୟ ସେମାନେ ଅତିରିକ୍ତ ୫ ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ଜଜ୍ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ମୃତ ମହିଳାଙ୍କ ଥିବା ଆଉ ଜଣେ ପୁଅଙ୍କର ଭରଣପୋଷଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି।
୨୦୨୪ ଫେବୃଆରୀ ୨୦ରେ ଚୁଡ଼ିଆଲାଞ୍ଜି ଗ୍ରାମର ଡି. ନୀଳବେଣି (୨୭) ଓ ତାଙ୍କ ପୁଅ ଡ଼ି.ରୁଷିଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏ ନେଇ (ନଂ. ୩ ଓ ୪/୨୪)ରେ ପୃଥକ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଆବୁଧାବିରେ ଶ୍ରମିକ ଭାବେ କାମ କରୁଥିବା ନୀଳବେଣିଙ୍କ ସ୍ବାମୀ ଡି. ମୋହନ ଏହା ଜାଣିବା ପରେ ୪ ଦିନ ପରେ ଗାଁକୁ ଫେରି ତାଙ୍କ ଭାଇବୋହୂ ଡି.ଗୁନାମ୍ମା ଓ ଭଣଜା ଜି. ଦେବେନ୍ଦ୍ରଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ମାଈଁଁ, ଭଣଜାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ସ୍ତ୍ରୀ ନିଳବେଣୀ ବିରୋଧ କରି ଆସୁଥିଲେ। ତେଣୁ ସେମାନେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛନ୍ତି ବୋଲି ମୋହନ ଅଭିଯୋଗରେ ଦର୍ଶାଇଥିଲେ। ପୋଲିସ ନଂ.୭୧/୨୪ରେ ଗୁନାମ୍ମା ଓ ଦେବେନ୍ଦ୍ରଙ୍କ ନାମରେ ମାମଲା ରୁଜୁ କରିଥିଲା। ସାଇଣ୍ଟିଫିକ ଟିମ୍ ସହାୟତାରେ ଏହାର ତଦନ୍ତ ହୋଇଥିଲା। ଦେବେନ୍ଦ୍ରଙ୍କ ମୋବାଇଲ ଫୋନ ଜବତ କରି ସିଡିଆରରୁ ପୋଲିସ ଯଥେଷ୍ଟ ପ୍ରମାଣ ପାଇଥିଲା। ପରେ ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଟୁନା ସାଶମଲ ଗୁନାମ୍ମା ଓ ଦେବେନ୍ଦ୍ରଙ୍କୁ ଗିରଫ କରିଥିଲେ। ୨୦୨୪ ଫେବୃଆରୀ ୧୯ରେ ଗୁନାମ୍ମା ତାଙ୍କ ଯା’ ନୀଳବେଣିଙ୍କ ଘରକୁ ଯାଇ କୌଶଳକ୍ରମେ ଶିଡ଼ି କବାଟ ଖୋଲାରଖି ଆସିଥିଲେ। ସେହିଦିନ ଗୁନାମ୍ମା ତାଙ୍କ ପୁଅକୁ ଧରି ଏକ ଭୋଜିରେ ଯୋଗଦେଇ ରାତିରେ ଘରକୁ ଫେରିଥିଲେ। ଦେବେନ୍ଦ୍ର ବିଳମ୍ବିତ ରାତିରେ ଛାତ ଉପରୁ ଶିଡି ରାସ୍ତାରେ ଘର ଭିତରକୁ ଯାଇ ମାଇଁ ନିଳବେଣୀ ଓ ତାଙ୍କ ପୁଅ ରୁଷିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ଦେବେନ୍ଦ୍ର ପୋଲିସ ନିକଟରେ ସ୍ବୀକାର କରିଥିଲେ। ପୋଲିସ ମାଈଁଁ, ଭଣଜାଙ୍କୁ ନେଇ କ୍ରାଇମସିନ ରିକ୍ରିଏଶନ କରିଥିଲା। କୋର୍ଟ ଚାଲାଣ ପରେ ଉଭୟଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା। ମାମଲାର ବିଚାର ବେଳେ ୩୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷୀମାନଙ୍କ ବୟାନ ଓ ପୋଲିସ ଚାଜଶିଟ ଆଧାରରେ ଜଜ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସନ୍ତୋଷିନୀ ପୁରୋହିତ ମାମଲା ପରିଚାଳନା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।