ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ…
ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ସମାଲୋଚନା କରୁଥିବା ଲୋକଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ, ଏହି ଇନ୍ଧନ କାରଣରୁ ଦେଶରେ ଗୋଟିଏ ହେଲେ କାର୍ରେ ସମସ୍ୟା ଦେଖାଦେଇଥିବାର ପ୍ରମାଣ ଦିଅନ୍ତୁ।
‘ବିକଶିତ ଭାରତ’ ନାମରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି ଗଡ଼କରୀ କହିଛନ୍ତି ଯେ, ଅଧିକ ଏଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାରକୁ ନେଇ କିଛି ଲୋକ ଟଙ୍କା ଖର୍ଚ୍ଚ କରି ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମାଧ୍ୟମରେ ମିଥ୍ୟା ଅପପ୍ରଚାର ଚଳାଉଛନ୍ତି। ଏପର୍ଯ୍ୟନ୍ତ ଇ-୨୦ ପେଟ୍ରୋଲ ପାଇଁ କୌଣସି କାର୍ ଖରାପ ହେବାର ମାମଲା ସାମ୍ନାକୁ ଆସିନାହିଁ। ଭାରତ ଇତିମଧ୍ୟରେ ୨୦ ପ୍ରତିଶତ ଏଥାନଲ ମିଶ୍ରଣର ପେଟ୍ରୋଲ୍ ଲକ୍ଷ୍ୟ ହାସଲ କରିସାରିଛି, ଯାହା ଦ୍ୱାରା ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମିବା ସହ କାର୍ବନ ନିର୍ଗମନ ହ୍ରାସ ପାଇଛି। କୋଇଲା ଏବଂ ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନ ଭାରତ ପାଇଁ ଏକ ବଡ଼ ଅର୍ଥନୈତିକ ବୋଝ। ଇନ୍ଧନ ଆମଦାନୀ ପାଇଁ ଦେଶକୁ ବାର୍ଷିକ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ଏବଂ ଏହା ପରିବେଶ ପାଇଁ ମଧ୍ୟ ବିପଦଜନକ। ତେଣୁ ସ୍ବଚ୍ଛ ଇନ୍ଧନ ଆପଣାଇବା ଦେଶର ପ୍ରଗତି ପାଇଁ ନିହାତି ଜରୁରୀ।
ସେହିଭଳି ମନ୍ତ୍ରୀଙ୍କ ପରିବାରର କମ୍ପାନୀଗୁଡ଼ିକ ଏଥାନଲ ଉତ୍ପାଦନ କରୁଥିବାରୁ ସେ ଏହା ଉପରେ ଅଧିକ ଜୋର୍ ଦେଉଛନ୍ତି ବୋଲି ଆସିଥିବା ଅଭିଯୋଗକୁ ଗଡ଼କରୀ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପରିବାରର ଚିନି କଳ ରହିଛି ସତ, କିନ୍ତୁ ସେମାନଙ୍କ କମ୍ପାନୀ କେବଳ ଏଥାନଲ୍ ଉତ୍ପାଦନ ଉପରେ ନିର୍ଭରଶୀଳ ନୁହେଁ। ବ୍ରାଜିଲ ଭଳି ଦେଶରେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ଅଧିକ ଏଥାନଲ୍ ଯୁକ୍ତ ଶସ୍ତା ଇନ୍ଧନ ବାଛିବାର ବିକଳ୍ପ ମିଳିଥାଏ, କିନ୍ତୁ ଭାରତରେ ଏବେ ସେଭଳି ବିକଳ୍ପ ଉପଲବ୍ଧ ନାହିଁ।
ଆଖୁ, ମକା ଓ ଚାଉଳ ଭଳି ବାୟୋମାସ୍ରୁ ଏଥାନଲ୍ ତିଆରି କରାଯାଉଛି। ଗଡ଼କରୀ କହିଛନ୍ତି ଯେ ମକାରୁ ଏଥାନଲ ପ୍ରସ୍ତୁତ କରିବା ନିଷ୍ପତ୍ତି ପରେ ଉତ୍ତର ପ୍ରଦେଶ ଓ ବିହାରର ଚାଷୀମାନେ ବେଶ ଉପକୃତ ହୋଇଛନ୍ତି। ପୂର୍ବରୁ ମକାର ବଜାର ମୂଲ୍ୟ କ୍ୱିଣ୍ଟାଲ ପିଛା ୧,୨୦୦ ଟଙ୍କା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୧,୮୦୦ ଟଙ୍କା ଥିଲା। କିନ୍ତୁ ଏହି ନିଷ୍ପତ୍ତି ପରେ ମକା ଦର କ୍ୱିଣ୍ଟାଲ ପ୍ରତି ୨,୮୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାଦ୍ୱାରା ଦୁଇଟି ଯାକ ରାଜ୍ୟର ଚାଷୀଙ୍କ ପାଖକୁ ୪୫,୦୦୦ କୋଟି ଟଙ୍କାର ଅତିରିକ୍ତ ଆୟ ଯାଇଛି।
ସେହିଭଳି ଆଗାମୀ ଦିନରେ ବିକଳ୍ପ ଓ ସ୍ବଚ୍ଛ ଇନ୍ଧନର ବ୍ୟବହାର ବଢ଼ାଇବା ପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ (CMVR) ରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ଦେଶରେ ’ଫ୍ଲେକ୍ସ-ଫ୍ୟୁଲ’ ଓ ସମ୍ପୂର୍ଣ୍ଣ ଜୈବ-ଇନ୍ଧନ ଚାଳିତ ଗାଡ଼ି ଚଳାଚଳ ପାଇଁ ରାସ୍ତା ସଫା ହେବ। ଏହି ପ୍ରସ୍ତାବିତ ନିୟମ ଅନୁଯାୟୀ ଇ-୮୫ (୮୫% ଏଥାନଲ ମିଶ୍ରିତ ପେଟ୍ରୋଲ), ଇ-୧୦୦ (ଶୁଦ୍ଧ ଏଥାନଲ), ବି-୧୦୦ ବାୟୋ-ଡିଜେଲ ଏବଂ ହାଇଡ୍ରୋଜେନ-ସିଏନ୍ଜି (H-CNG) ମିଶ୍ରଣ ଭଳି ପରିବେଶ ଅନୁକୂଳ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।