ଷ୍ଟ୍ରବେରୀ ବାର୍ଥମାର୍କ

ନବଜାତ ଶିଶୁଙ୍କ ଶରୀରରେ ଦେଖାଯାଉଥିବା ନାଲି, ବାଇଗଣୀ କିମ୍ବା ବାଦାମୀ ରଙ୍ଗର ଏକ ପ୍ରକାର ମାଂସାଳ ଚିହ୍ନକୁ ନେଇ ଅନେକ ସମୟରେ ବିଭିନ୍ନ ଆଶଙ୍କା ଦେଖିବାକୁ ମିଳିଥାଏ । ତେବେ ଡାକ୍ତରୀ ଭାଷାରେ ଏହାକୁ ‘ଇନ୍ଫାଣ୍ଟାଇଲ୍ ହେମେଞ୍ଜିଓମା’ ବା 'ଷ୍ଟ୍ରବେରୀ ବାର୍ଥମାର୍କ' କୁହାଯାଏ । ସାରା ବିଶ୍ୱରେ ୧ ବର୍ଷ ବୟସର ପ୍ରାୟ ୫-୧୦% ଏବଂ ଭାରତରେ ୪.୩% ଶିଶୁଙ୍କଠାରେ ଏହା ଦେଖାଯାଉଥିବାର ସୂଚନା ରହିଛି । ପ୍ରି-ମ୍ୟାଚୁର ଶିଶୁ, କମ୍ ଓଜନର ନବଜାତ ଏବଂ କନ୍ୟା ସନ୍ତାନମାନଙ୍କଠାରେ ଏହାର ଆଶଙ୍କା ଅଧିକ ଥାଏ । ଏହା କୌଣସି ସଂକ୍ରମଣ, ଆଘାତ କିମ୍ବା ପିତାମାତାଙ୍କ ଭୁଲ୍ ଯୋଗୁଁ ହୋଇନଥାଏ ଏବଂ ଜେନେଟିକ୍ ମଧ୍ୟ ନୁହେଁ । ଅଧିକାଂଶ କ୍ଷେତ୍ରରେ ଏହା ଜନ୍ମର କିଛି ସପ୍ତାହ ପରେ ମୁଣ୍ଡ, ବେକ କିମ୍ବା ଚେହେରାରେ ଦେଖାଯାଇ ପ୍ରଥମ ବର୍ଷ ତୀବ୍ର ଗତିରେ ବଢ଼ିଥାଏ । ତେବେ ଏହା ଆଖି, ନାକ, ପାଟି କିମ୍ବା ଶ୍ୱାସନଳୀ ଭଳି ସମ୍ବେଦନଶୀଳ ସ୍ଥାନରେ ହେଲେ ଦୃଷ୍ଟିଶକ୍ତି ବାଧିତ ହେବା ଓ ଶ୍ୱାସକ୍ରିୟାରେ ସମସ୍ୟା ଭଳି ଜଟିଳତା ସୃଷ୍ଟି କରିପାରେ । ବୟସ୍କମାନଙ୍କ କ୍ଷେତ୍ରରେ ଏହାକୁ ‘ଚେରି ହେମେଞ୍ଜିଓମା’ କୁହାଯାଏ ଯାହା ଆପେ ଆପେ ଭଲ ହୁଏନାହିଁ । ଶାରୀରିକ ପରୀକ୍ଷା, ଅଲଟ୍ରାସାଉଣ୍ଡ କିମ୍ବା ଏମଆରଆଇ ମାଧ୍ୟମରେ ଏହାର ସଠିକ୍ ଚିହ୍ନଟ କରାଯାଇ ଚିକିତ୍ସା କରାଯାଇଥାଏ । ସଠିକ୍ ସମୟରେ ଡାକ୍ତରୀ ନିରୀକ୍ଷଣ ଓ ଚିକିତ୍ସା ଦ୍ୱାରା ଏହି ସମସ୍ୟାର ସହଜ ସମାଧାନ ସମ୍ଭବ । ତେଣୁ ଶିଶିଙ୍କର ଏହି ବାର୍ଥମାର୍କକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।