ବାଣପୁର ଭିଡ଼ ହିଂସା ହାଜତ ମୃତ୍ୟୁ ନୁହେ - ପୋଲିସ

Jul 01, 2026 - 16:06
ବାଣପୁର ଭିଡ଼ ହିଂସା ହାଜତ ମୃତ୍ୟୁ ନୁହେ - ପୋଲିସ

ବାଣପୁର : ଖୋର୍ଦ୍ଧା ବାଣପୁର ଯୁବକଙ୍କୁ ପିଟି ପିଟି ହତ୍ୟା ମାମଲାରେ ନାହିଁ ପୋଲିସ ନିର୍ଯାତନା । ହେପାଜତ ହିଂସା ଅଭିଯୋଗ ଉପରେ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ପ୍ରାଥମିକ ତଦନ୍ତରେ ଏହି ଅଭିଯୋଗ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ ବୋଲି ପୋଲିସ କହିଛି । ସରପଂଚଙ୍କ ଘରୁ ଚୋରି ଅଭିଯୋଗରେ ଖୋର୍ଦ୍ଧା ବାଣପୁର ବ୍ଲକ ଅନ୍ତର୍ଗତ ଗାଲୁଆ ପଞ୍ଚାୟତ ଭୀମପୁର ଗାଁର ଯୁବକ ତୋଫାନ ନାୟକକୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ ଖଣତା ଗ୍ରାମବାସୀ । 

ସୂଚନା ଅନୁସାରେ, ଜୁନ୍ ୨୮ ତାରିଖ ଅପରାହ୍ନ ପ୍ରାୟ ୪ଟା ୪୩ ମିନିଟ୍‌ରେ ERSS-୧୧୨କୁ ଏକ ଫୋନ୍ କଲ୍ ଆସିଥିଲା। ବିଷ୍ଣୁଡିହ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସୂଚନା ଦେଇଥିଲେ ଯେ, ଗ୍ରାମବାସୀମାନେ ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ଅଟକ ବ୍ୟକ୍ତିଙ୍କୁ ପୋଲିସ ତୋଫାନ ନାୟକ (୩୨) ଭାବେ ଚିହ୍ନଟ କରିଥିଲା ।  ସେହି ସମୟରେ ସେ ମଦ୍ୟପ ଅବସ୍ଥାରେ ଥିଲେ । ପରେ ତାଙ୍କୁ ଉଦ୍ଧାର କରି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ବାଣପୁର ଥାନାକୁ ନିଆଯାଇଥିଲା । ଥାନାକୁ ଆଣିବା ପରେ ପରିବାରକୁ ସୂଚନା ଦିଆଯାଇଥିଲା । ରାତି ପ୍ରାୟ ୮ଟାରେ ତୋଫାନଙ୍କ ପିତାମାତା ଥାନାରେ ପହଞ୍ଚି ତାଙ୍କୁ ଘରକୁ ନେଇଯାଇଥିଲେ । ସେମାନେ ଗ୍ରାମବାସୀଙ୍କ ବିରୋଧରେ କୌଣସି ଅଭିଯୋଗ କରିନଥିଲେ ଏବଂ ତୋଫାନ ଗତ ୨୦ରୁ ୨୫ ଦିନ ଧରି ମାନସିକ ସମସ୍ୟାରେ ଥିବା କହିଥିଲେ। ଏହାସହ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ନେଇ ଜିମ୍ମାନାମା ଦେଇଥିବା ପୋଲିସ ଦାବି କରିଛି।