କ୍ରାଇଂ କ୍ଲବ

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକମାନେ ଅତ୍ୟଧିକ ଚିନ୍ତା, ଏକାକୀପଣ ଏବଂ ମାନସିକ ଚାପର ସମ୍ମୁଖୀନ ହେଉଥିବା ବେଳେ ଏଥିରୁ ମୁକ୍ତି ପାଇଁ ଦେଶର ବିଭିନ୍ନ ସହରରେ 'କ୍ରାଇଂ କ୍ଲବ୍' (କାନ୍ଦିବା ପାଇଁ କ୍ଲବ୍) ର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯେଉଁଠାକୁ ଲୋକେ ହସିବା ପାଇଁ ନୁହେଁ ବରଂ ମନଖୋଲି କାନ୍ଦି ନିଜ ହୃଦୟର ବୋଝ ହାଲୁକା କରିବାକୁ ଆସିଥାନ୍ତି । ସୂଚନା ଅନୁଯାୟୀ, ଗୁଜରାଟର ସୁରଟଠାରେ ଗତ ପ୍ରାୟ ୮ ବର୍ଷ ହେବ ଚାଲୁଥିବା ଏକ 'ହେଲ୍ଦି କ୍ରାଇଙ୍ଗ୍ କ୍ଲବ୍'ରେ ଲୋକଙ୍କୁ ବିନା କୌଣସି ଦ୍ୱିଧାରେ ନିଜର ଆବେଗ ପ୍ରକାଶ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଉଛି । ଏଠାରେ କେହି କାହାକୁ କାନ୍ଦିବାର କାରଣ ପଚାରନ୍ତି ନାହିଁ ଏବଂ ଜଣେ ନିଜର ଦୁଃଖଭରା କାହାଣୀ ଶୁଣାଇବାକୁ ଚାହୁଁଥାଉ କିମ୍ବା କେବଳ ନୀରବରେ ଲୁହ ଗଡ଼ାଇବାକୁ ଚାହୁଁଥାଉ, ଏଠାରେ ଦୁଇଟିଯାକ ପାଇଁ ସମ୍ପୂର୍ଣ୍ଣ ଅନୁମତି ମିଳିଥାଏ । ଏହି କ୍ଲବ୍ର ପ୍ରତିଷ୍ଠାତା କମଳେଶ ମସାଲାୱାଲାଙ୍କ କହିବାନୁସାରେ, ବିଶେଷ କରି ପୁରୁଷମାନଙ୍କୁ ପିଲାଦିନରୁ ଶିଖାଯାଇଥାଏ ଯେ କାନ୍ଦିବା ଏକ ଦୁର୍ବଳତା, ଯାହାଫଳରେ ସେମାନେ ବର୍ଷ ବର୍ଷ ଧରି ନିଜର ଆବେଗ ଓ ଭାବନାକୁ ଚାପି ରଖନ୍ତି । ଏଭଳି ଏକ ସୁରକ୍ଷିତ ପରିବେଶ ପାଇବା ପରେ ସେମାନେ ନିଜର କୋହ ବାହାର କରି ମାନସିକ ଶାନ୍ତି ପାଇପାରୁଛନ୍ତି । ଜାପାନର 'ରୁଇ-କାତ୍ସୁ' ଅବଧାରଣା ଦ୍ୱାରା ଅନୁପ୍ରାଣିତ ଏହି କ୍ରାଇଙ୍ଗ୍ କ୍ଲବ୍ର ବିଚାର ଏବେ ଭାରତର ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ସୁରଟ ଭଳି ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳୁଛି ଏବଂ ସେଠାରେ ଏଭଳି ସ୍ପେଶାଲ ସେସନମାନ ଆୟୋଜିତ ହେଉଛି ।