ଶେଷ କଲ ଯାଞ୍ଚ କରାଯିବ - ଡିସିପି

Jul 06, 2026 - 13:18
ଶେଷ କଲ ଯାଞ୍ଚ କରାଯିବ - ଡିସିପି

କଟକ : ଚାଉଳିଆଗଞ୍ଜ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଶେଷକଲ କୁ ନେଇ ଯାଞ୍ଚ ହେବ ବୋଲି କହିଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ । ୨ ଆଇଆଇସି, ଜଣେ ଏସ୍‌ପି, ଅତିରିକ୍ତ ଡିସିପି ଘଟଣାର ତଦନ୍ତ କରୁଛନ୍ତି । ସ୍ୱାମୀଙ୍କ ସହ ୨ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଥିବା ଡିସିପି କହିଛନ୍ତି । ତେବେ ଏହି ଘଟଣାରେ ପରିବାର ଲୋକେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କରିନଥିବା କଥା ମଧ୍ୟ କହିଛନ୍ତି ।

ମୃତ୍ୟୁର ରହସ୍ୟ ବ୍ୟୁଟିଙ୍କ ଫୋନରେ ଥିବା ଚର୍ଚ୍ଚା ହେଉଛି । ତେଣୁ ପୋଲିସ ତାଙ୍କର ୨ଟି ଫୋନ୍ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି । କଲ୍ ରେକର୍ଡର ମଧ୍ୟ ଯାଞ୍ଚ କରାଯାଉଛି । ଶେଷ କଲ୍‌ରେ ସେ କାହା ସହ କଥା ହୋଇଥିଲେ ଯାଞ୍ଚ କରାଯିବ । ହ୍ୱାଟ୍ସଆପ୍ ଚାଟ୍ ଓ ଅନ୍ୟ ସୋସିଆଲ ମିଡିଆ ଚାଟ୍ ର ବି ଯାଞ୍ଚ ହେବ। ଏପରିକି ବ୍ୟକ୍ତିଗତ ସଂପର୍କ ଦିଗରେ ମଧ୍ୟ ଯାଞ୍ଚ କରାଯିବ । ବ୍ୟାଙ୍କ୍ ଡିଟେଲ ଯାଞ୍ଚ ସହ ଫୋନ୍ ଫରେନ୍ସିକ ଲ୍ୟାବ୍ ପଠାଯାଇଛି । ବୁଧବାର ସୁଦ୍ଧା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ଏହାପରେ ତଦନ୍ତ ଆଗକୁ ବଢ଼ିବ । ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ଡିସିପି କହିଛନ୍ତି ।

ସୂଚନାନୁସାରେ, ଚାଉଳିଆଗଞ୍ଜ ଥାନାର ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତଦେହ ଶନିବାର ସକାଳେ ଝୁଲନ୍ତା ଅବସ୍ଥାରେ ନିଜ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଥିଲା । କୌଣସି ପ୍ରକାର ପାରିବାରିକ ଅସନ୍ତୋଷକୁ ମଧ୍ୟ ସ୍ବାମୀ ଖଣ୍ଡନ କରିଛନ୍ତି । ସ୍ୱାମୀ ସମୀର ସ୍ୱାଇଁଙ୍କ କହିବାନୁସାରେ ଶୁକ୍ରବାର ରାତି ପ୍ରାୟ ୧୦ଟା ୩୫ରେ ସେ କଲ୍ କରିଥିଲେ । ପ୍ରାୟ ୫ ମିନିଟ୍ ଧରି ବ୍ୟୁଟିଙ୍କ ସହ କଥା ହେଲେ । ମାତ୍ର ରାତି ୧୧ଟା ୪୬ରେ କଲ୍ କଲା ବେଳକୁ ବିଉଟି ଫୋନ୍ ଉଠାଇ ନଥିଲେ । ତେବେ ଶୁକ୍ରବାର ରାତି ୧୦.୩୦ ସୁଦ୍ଧା ସବୁକିଛି ଠିକଠାକ ଥିଲା । ଥାନାରୁ କାମ ସାରି ସେ ଥାନା ଉପରେ ଥିବା ରେଷ୍ଟ ରୁମ୍କୁ ଯାଇ ୟୁନିଫର୍ମ ବଦଳାଇ ତଳକୁ ଆସିବା କଥା । ତଳେ ନୂଆ ସ୍କର୍ପିଓର ଡ୍ରାଇଭର ସୋନୁ ମାଡାମ୍‌କୁ ଘରକୁ ନେଇ ଯିବାପାଇଁ ଅପେକ୍ଷା କରିଥିଲା । ସେହିଭଳି ସିସିଟିଏନ୍ଏସ୍‌ର ପିଲା ଓ ଅନ୍ୟ ୩ ଜଣ ଅଫିସର ମଧ୍ୟ ତଳେ କେସ୍ କ୍ଲୋଜ୍ କରିବାକୁ ଅପେକ୍ଷା କରିଥିଲେ । ହେଲେ ସ୍ୱାମୀଙ୍କ ଫୋନ୍ କଲ୍ ପରେ କ’ଣ ହେଲା ଯେ ପରଦିନ ବ୍ୟୁଟିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା । ଘଟଣାକୁ ୩ଦିନ ବିତି ସାରିଥିବାବେଳେ ତଦନ୍ତ ଜାରି ରହିଛି । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ । ସେପଟେ, ପରିବାର ଓ ସଂପର୍କୀୟମାନେ କାମର ଅଧିକ ଚାପ ଅନୁଭବ କରୁଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ରବିବାର ଅପରାହ୍ନ ସମୟରେ ଓଡ଼ିଶା ପୋଲିସ ଅଫିସର ମହାସଂଘ ପ୍ରେସମିଟ୍ କରିଥିଲା । ଯେଉଁଥିରେ ସଂଘ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିବା ସହ ୩୦ ଦିନ ମଧ୍ୟରେ ରିପୋର୍ଟକୁ ଆସର୍ବଜନୀନ କରିବାକୁ ଦାବି କରିଥିଲା ।