ବୁଦ୍ଧିଆ ଠେକୁଆ

Jul 06, 2026 - 13:39
ବୁଦ୍ଧିଆ ଠେକୁଆ

 

ପିଲାଦିନେ ଏଭଳି ଅନେକ କାହାଣୀ ଆମେ ଶୁଣିଥାଉ ଯାହା ଆମକୁ ପରିବେଶର ଯତ୍ନ ନେବାର ଶିକ୍ଷା ଦେଇଥାଏ । ଏହି ସବୁ କାହାଣୀ ପିଲାମାନଙ୍କୁ ପରିବେଶର ଗୁରୁତ୍ବତା ଓ ଏହାର ଯତ୍ନର ଆବଶ୍ୟକତା ବିଷୟରେ ଅବଗତ କରାଇଥାଏ । ସେହିଭଳି ଏକ କାହାଣୀ ହେଲା ବୁଦ୍ଧିଆ ଠେକୁଆ ।

ଏକ ଘଞ୍ଚ ଓ ସବୁଜିମାରେ ଭରା ଜଙ୍ଗଲରେ ଚିକୁ ନାମକ ଏକ କୁନି ଓ ଚଞ୍ଚଳ ଠେକୁଆ ରହୁଥିଲା, ଯିଏ ସବୁବେଳେ କିଛି ନା କିଛି ନୂଆ ଜିନିଷ ଜାଣିବା ପାଇଁ ଉତ୍ସୁକ ରହୁଥିଲା ଏବଂ ଜଙ୍ଗଲର ସବୁ ପଶୁପକ୍ଷୀ ତାର ଦୁଷ୍ଟାମି ଓ ମିଠା କଥାକୁ ଖୁବ୍ ଭଲ ପାଉଥିଲେ । ଦିନେ ସକାଳୁ ଚିକୁ ମିଠା ଗାଜର ସନ୍ଧାନରେ ବୁଲୁ ବୁଲୁ ଏକ ବିରାଟ ବଟବୃକ୍ଷ ମୂଳରେ ଏକ ଚମକୁଥିବା ସୁନେଲି ରଙ୍ଗର ଚାବି ପାଇଲା । ସେହି ଚାବିଟିକୁ ନେଇ ସେ ସାରା ଜଙ୍ଗଲରେ ବୁଲି ସମସ୍ତଙ୍କୁ ପଚାରିଲା ଯେ ଏହା କେଉଁ ତାଲାର ଚାବି ହୋଇପାରେ, ହେଲେ କେହି ବି ଏହାର ରହସ୍ୟ ଜାଣିପାରିଲେ ନାହିଁ । ଶେଷରେ ଜଙ୍ଗଲର ସବୁଠାରୁ ବୁଦ୍ଧିମାନ ବୁଢ଼ା ଭାଲୁ ମିଠୁ ଭାଇ ଚିକୁକୁ କହିଲେ ଯେ, ଜଙ୍ଗଲର ସେପାରିରେ ଥିବା ରହସ୍ୟମୟ ପାହାଡ଼ ଉପରେ ଏକ ପୁରୁଣା ପଥରର ବାକ୍ସ ଅଛି, ବୋଧହୁଏ ଏହା ସେହି ବାକ୍ସର ଚାବି ହୋଇଥାଇପାରେ । ଚିକୁ ବିନା କୌଣସି ଭୟରେ ସେହିକ୍ଷଣି ପାହାଡ଼ ଆଡ଼କୁ ଯାତ୍ରା ଆରମ୍ଭ କଲା ଏବଂ ବାଟରେ ତାକୁ ନଦୀ ପାର ହେବାରେ ଗୋଟିଏ ବେଙ୍ଗ ସାହାଯ୍ୟ କଲା । ଘଞ୍ଚ ବଣରେ ବାଟ ଦେଖାଇବାରେ ଏକ କୁନି ଚଢ଼େଇ ସହଯୋଗ କଲା, ଯାହାଫଳରେ ଚିକୁ ଶେଷରେ ସେହି ପାହାଡ଼ ଚୂଡ଼ାରେ ପହଞ୍ଚିଗଲା । ସେଠାରେ ସତକୁ ସତ ସେହି ପଥର ବାକ୍ସଟି ରହିଥିଲା ଏବଂ ଚିକୁ ଯେତେବେଳେ ଧୀରେ କରି ସୁନେଲି ଚାବିଟିକୁ ତାଲା ଭିତରେ ପୂରାଇ ବୁଲାଇଲା । ବାକ୍ସଟି ଏକ ସୁନ୍ଦର ସଙ୍ଗୀତ ସହିତ ଖୋଲିଗଲା, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେହି ବାକ୍ସ ଭିତରେ କୌଣସି ହୀରା, ନୀଳା କିମ୍ବା ସୁନା ନଥିଲା, ବରଂ ସେଥିରେ ଅନେକ ପ୍ରକାରର ସୁଆଦିଆ ଫଳ ଏବଂ ସୁନ୍ଦର ଫୁଲର ମଞ୍ଜି ରହିଥିଲା । ଯାହା ସହିତ ଏକ କାଗଜରେ ଲେଖାଥିଲା ଯେ ଏହି ମଞ୍ଜିଗୁଡ଼ିକୁ ଯିଏ ନିଜ ଜଙ୍ଗଲରେ ବୁଣିବ, ସେଠାରେ କେବେ ବି ଖାଦ୍ୟର ଅଭାବ ହେବନାହିଁ। ଚିକୁ ସେହି ମଞ୍ଜିଗୁଡ଼ିକୁ ନେଇ ନିଜ ଜଙ୍ଗଲକୁ ଫେରିଆସିଲା ଏବଂ ସବୁ ସାଙ୍ଗମାନଙ୍କ ସହ ମିଶି ସାରା ଜଙ୍ଗଲରେ ବୁଣିଦେଲା। ଯାହାଫଳରେ କିଛି ଦିନ ମଧ୍ୟରେ ସାରା ଜଙ୍ଗଲ ରଙ୍ଗବେରଙ୍ଗର ଫୁଲ ଓ ମିଠା ଫଳରେ ଭରିଗଲା । ଚିକୁ ବୁଝିପାରିଲା ଯେ ପ୍ରକୃତ ସମ୍ପତ୍ତି ଟଙ୍କା ପଇସାରେ ନଥାଏ, ବରଂ ଅନ୍ୟମାନଙ୍କ ସହ ବାଣ୍ଟି ରହିବାରେ ଏବଂ ପ୍ରକୃତିର ସୁରକ୍ଷା କରିବାରେ ହିଁ ପ୍ରକୃତ ସୁଖ ମିଳିଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।