05 AUGUST 2026

Welcome!

Unlock your personalized experience.
Sign Up

ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Aug 05, 2026 - 22:06
ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୫।୮ : ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା, ବିକାଶ ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ମିଳିତ ଭାବେ ଆଗେଇ ନେବା ଉଦ୍ଦେଶ୍ୟରେ ସୋଆ (ଶିକ୍ଷା 'ଓ' ଅନୁସନ୍ଧାନ) ଡିମ୍ଡ୍ ଟୁ ବିଶ୍ୱବିଦ୍ୟାଳୟ ଏବଂ କୋଲକାତାସ୍ଥିତ କୃଷିବନ୍ଧୁ କ୍ରପ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ (କେବିସି) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କେବିସିର ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶୈବାଲ ମିତ୍ର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ବୁଝାମଣାପତ୍ର ମାଧ୍ୟମରେ ସୋଆର ସେଣ୍ଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍) ଏବଂ କେବିସି ମଧ୍ୟରେ ଗବେଷଣା ଓ ଉତ୍ପାଦ ବିକାଶ କ୍ଷେତ୍ରରେ ଏକ ଦୀର୍ଘମିଆଦୀ ସହଯୋଗୀ ସମ୍ପର୍କ ସ୍ଥାପନ କରାଯିବ। ସିଆଇବିଆର୍ ପକ୍ଷରୁ ଜୈବ ସାର ସମେତ ବିଭିନ୍ନ ଜୈବ କୃଷି ଉତ୍ପାଦ ପ୍ରସ୍ତୁତ କରାଯାଉଛି।

ଚୁକ୍ତି ଅନୁଯାୟୀ, କେବିସି ବିପଣନ ଓ ଗବେଷଣା ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହା ଉତ୍ପାଦର ପ୍ରଚାର, ସଚେତନତା ସୃଷ୍ଟି, କୃଷକଙ୍କ ନିକଟରେ ପହଞ୍ଚିବା, କ୍ଷେତ୍ର ପ୍ରଦର୍ଶନୀ, ବିପଣନ ଏବଂ ବିତରଣ କାର୍ଯ୍ୟକ୍ରମକୁ ପରସ୍ପର ସହମତି ଭିତ୍ତିରେ ପରିଚାଳନା କରିବ।

ଏହି ବୁଝାମଣାପତ୍ର ଅନୁସାରେ ଉଭୟ ସଂସ୍ଥା ମିଳିତ ଭାବେ ବଜାର ବିସ୍ତାର, କୃଷକଙ୍କ ଦ୍ୱାରା ଜୈବ ପ୍ରଯୁକ୍ତିର ଅଧିକ ବ୍ୟବହାରକୁ ପ୍ରୋତ୍ସାହନ ଏବଂ କ୍ଷେତ୍ରସ୍ତରୀୟ ପରୀକ୍ଷଣ ମାଧ୍ୟମରେ ଉତ୍ପାଦର କାର୍ଯ୍ୟଦକ୍ଷତା ସମ୍ପର୍କିତ ବୈଜ୍ଞାନିକ ଓ ବାଣିଜ୍ୟିକ ତଥ୍ୟ ସଂଗ୍ରହ କରିବେ।

କେବିସି ବର୍ତ୍ତମାନ 'ରାଇସ୍ କାର୍ବନ ପ୍ରୋଜେକ୍ଟ' କାର୍ଯ୍ୟକାରୀ କରୁଛି, ଯାହା ଗତ ତିନି ବର୍ଷ ଧରି ପଶ୍ଚିମବଙ୍ଗ ଓ ଓଡ଼ିଶାର ୫,୭୫୦ ହେକ୍ଟର ଧାନ ଜମିରେ ଦୁଇଟି ଚାଷ ଋତୁକୁ ନେଇ ସଫଳତାର ସହ ଚାଲିଛି। ଜଳ ପରିଚାଳନା ପ୍ରଯୁକ୍ତି 'ଆଲ୍ଟରନେଟ୍ ୱେଟିଂ ଆଣ୍ଡ ଡ୍ରାଇଂ (ଏଡବ୍ଲ୍ୟୁଡି)' ବ୍ୟବହାର ମାଧ୍ୟମରେ ଜଳସେଚିତ ଧାନ ଚାଷରୁ ମିଥେନ ଗ୍ୟାସ ନିର୍ଗମନ ହ୍ରାସ କରିବା ସହ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ।

ଓଡ଼ିଶାରେ ଏହି ପ୍ରକଳ୍ପ ୨,୫୦୦ ହେକ୍ଟର ଜମିରେ ୨,୨୦୯ ଜଣ କୃଷକଙ୍କୁ ଅନ୍ତର୍ଭୁକ୍ତ କରିଛି। ପରିବେଶ ଅନୁକୂଳ ଏହି ଚାଷ ପଦ୍ଧତିକୁ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରୁଥିବା ପ୍ରତ୍ୟେକ କୃଷକଙ୍କୁ ପ୍ରତି ଋତୁରେ ପ୍ରତି ହେକ୍ଟର ପିଛା ୧,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାର ୮୦,୦୦୦ ହେକ୍ଟର ଜମିକୁ ଏହି ପ୍ରକଳ୍ପରେ ସାମିଲ କରିବାକୁ କେବିସି ଲକ୍ଷ୍ୟ ରଖିଛି।

ଏହି ଅବସରରେ ସୋଆର କୃଷି ବିଜ୍ଞାନ ଅନୁଷ୍ଠାନର ଡିନ୍ ପ୍ରଫେସର ଏସ୍. କେ. ରାଉତ, ସିଆଇବିଆର୍ର ନିର୍ଦ୍ଦେଶକ ପ୍ରଫେସର ଏଚ୍. ଏନ୍. ଥାଟୋଇ, ସେଣ୍ଟର ଫର୍ ବାୟୋଟେକ୍ନୋଲୋଜିର ପ୍ରଫେସର ଇ. ସୁବୁଦ୍ଧି, ସିଆଇବିଆର୍ର ସହକାରୀ ପ୍ରଫେସର ଡ଼. ମେଘା କବିରାଜ, ସୋଆର ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।