ଲାଲ ସାଗରରେ ଭାରତୀୟ ମାଲବାହୀ ଜାହାଜ ଉପରେ ଆକ୍ରମଣ; ସମସ୍ତ ୧୪ ନାବିକ ସୁରକ୍ଷିତ ଉଦ୍ଧାର
ନନ୍ଦିଘୋଷ ବ୍ୟୁରୋ : ୟେମେନର ପଶ୍ଚିମ ଉପକୂଳ ନିକଟ ଲାଲ ସାଗରରେ ଭାରତୀୟ ପତାକା ବହନ କରୁଥିବା ବ୍ୟବସାୟିକ ମାଲବାହୀ ଜାହାଜ MSV ‘ଫୈଜ ନୂରେ ଓଲିୟା’ ଉପରେ ପ୍ରୋଜେକ୍ଟାଇଲ୍ ଆକ୍ରମଣ ହେବା ପରେ ଜାହାଜଟି ସମୁଦ୍ରରେ ବୁଡ଼ି ଯାଇଛି। ତେବେ ଜାହାଜରେ ଥିବା ସମସ୍ତ ୧୪ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାରୁ ବଡ଼ ଧରଣର ଅଘଟଣ ଟଳିଯାଇଛି।
ୟେମେନ ସରକାର ସମର୍ଥିତ ନ୍ୟାସନାଲ୍ ରେଜିଷ୍ଟାନ୍ସ ଫୋର୍ସେସ୍ (NRF) ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣ ପରେ କୋଷ୍ଟ ଗାର୍ଡ ଏବଂ ନୌସେନା ମିଳିତ ଭାବେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ସମସ୍ତ ନାବିକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣି ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏହି ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ।
ଘଟଣାକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କଡ଼ା ନିନ୍ଦା କରିଛନ୍ତି। ବିନା ଉକ୍ତାନିରେ ଏକ ବ୍ୟବସାୟିକ ଜାହାଜ ଉପରେ ହୋଇଥିବା ଏହି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ଭାରତୀୟ ନାବିକଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ଦୋହରାଇଛନ୍ତି।
ସେ ଡାଇରେକ୍ଟର ଜେନେରାଲ୍ ଅଫ୍ ମାରିଟାଇମ୍ ଆଡମିନିଷ୍ଟ୍ରେସନ୍ (DGMA)ଙ୍କୁ ପ୍ରଭାବିତ ଅଞ୍ଚଳରେ ଭାରତୀୟ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଉଦ୍ଧାର ହୋଇଥିବା କ୍ରୁ ସଦସ୍ୟଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।