ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା..ହନ୍ତସନ୍ତ ଲୋକେ
ନନ୍ଦିଘୋଷ ବ୍ୟୁରୋ:ବର୍ଷାରେ ବେହାଲ ସାରା ଓଡ଼ିଶା । ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ପରେ ତୁହାକୁ ତୁହା ବର୍ଷା । ୮ ଦିନ ଧରି ବର୍ଷାରେ ଟୁଇନ ସିଟି ଉବୁଟୁବୁ । ଲଗାଣ ବର୍ଷା ଓ ହୀରାକୁଦ ଗେଟ୍ ଖୋଲିବା ପରେ ଫୁଲୁଛି ମହାନଦୀ । ଶ୍ରୀକୋରୁଆଁ ରେ ନଦୀ ପଠାରେ ଫସିଥିବା ୧୨ ପଶୁଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଯୋବ୍ରା ବ୍ୟାରେଜରୁ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ବାଙ୍କୀ ଥାନା ଅନ୍ତର୍ଗତ କେଉଟପାଟଣାରେ ଗଛ ପଡ଼ି ୩ ଜଣ ଆହତ ହୋଇଛନ୍ତି । ତାଳବସ୍ତ ବିଲିପଡା ରାସ୍ତାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେବାସହ ଅନେକ ଚାଷ ଜମି ଜଳମଗ୍ନ ହୋଇଛି । ସମ୍ବଲପୁରରେ ଗୋଟିଏ ପଟେ ମହାନଦୀ ଫୁଲୁଥିବାବେଳେ ସହରର ବର୍ଷା ପାଣି ନିଷ୍କାସିତ ହୋଇ ନବାରି ସହରରେ ଜମିଛି ପାଣି । ସହରର ଅନେକ ସ୍ଥାନରେ କୃତ୍ରିମ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ସହରର ପଟ୍ଟନାୟକ ପଡ଼ାର ଏକ ପୁରୁଣା ଭଙ୍ଗା ଘରୁ ଜଣେ ବୟସ୍କା ବୃଦ୍ଧାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ହୀରାକୁଦ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୩ ହଜାର ୬୫୭ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି ।
ରାଉରକେଲାରେ ଲଗାଣ ଵର୍ଷା ଯୋଗୁଁ ବିଶ୍ରା ଛକ ଠାରେ ଥିବା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟରେ ବର୍ଷା ଜଳ ଜମି ରହି ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଛାତରୁ ପାଣି ଗଳୁଥିବା ବହୁ ଔଷଧ ନଷ୍ଟ ହେଉଛି । ରୋଗୀ ଓ କର୍ମଚାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନପୋଷ ଜଗନ୍ନାଥ କଲୋନୀରେ ରାସ୍ତା ଉପରେ ଦୁଇ ଫୁଟର ବର୍ଷା ଜଳ ପ୍ରବାହିତ ହେବା ସହ ଅନେକ ଘର ଭିତରେ ପାଣି ପଶିଛି । ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀରର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଲକ୍ଷ୍ମୀଯୋର ବ୍ରିଜ ଉପରେ ୩ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି । ବାଲେଶ୍ବରରେ ବିପଦ ସଙ୍କେତ ଛୁଇଁଛି ଜଳକା ନଦୀର ଜଳସ୍ତର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡା, ଚିତ୍ରଡି ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ବସ୍ତା ବ୍ଲକର ୧୦ ଟି ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହୋଇଛି ।
ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ବର୍ଷାକୁ ଦେଖି ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ବୌଦ୍ଧ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିଛି ।…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।