ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ
ଜୟପୁର,୧୮।୭:ଜଣେ ଜମିପଟ୍ଟା ଆବେଦନକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାୟଗଡ଼ା ଜିଲା ଗୁଣପୁର ତହସିଲର ଶିରିଝୋଲି ଆର୍ଆଇ ସୁଶାନ୍ତ ମଲ୍ଲିକଙ୍କୁ ଜୟପୁର ଭିଜିଲାନ୍ସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜକରି ଜେଲ ହାଜତକୁ ପଠାଇ ଦେଇଛନ୍ତି।
ସୂଚନାନୁଯାୟୀ, ବୁଧବାର ଏକ ମ୍ୟୁଟେଶନ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ ଓ ତାଙ୍କ ପୈତୃକ ଜମିର ପଟ୍ଟା ଦେବା ପାଇଁ ଆର୍ଆଇ ମଲ୍ଲିକ ଆବେଦନକାରୀଙ୍କଠାରୁ ତାଙ୍କ କାର୍ଯ୍ୟାଳୟରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁକରିଥିଲା। ଆବେଦନକାରୀ ଆର୍ ଆଣ୍ଡ ଡିଏମ୍ ବିଭାଗରେ ସରକାରଙ୍କ ନିୟମ ଅନୁଯାୟୀ ଅନ୍ଲାଇନରେ ଜମିପଟ୍ଟା ପାଇଁ ଆବେଦନ କରିଥିଲେ। ଆବଶ୍ୟକ ଫି ମଧ୍ୟ ଜମା କରିଥିଲେ। ଆର୍ଆଇ ମଲ୍ଲିକ ବିନା କାରଣରେ ପ୍ରକ୍ରିୟାରେ ବିଳମ୍ବ କରୁଥିଲେ। ଏଥିସହ ୨୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ସେ ହଇରାଣ କରୁଥିବାରୁ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। କୋରାପୁଟ ଭିଜିଲାନ୍ସରେ କେସ୍ ନଂ.୧୬/୨୦୨୬ରେ ମାମଲା ରୁଜୁକରାଯାଇ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।