ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

Jul 29, 2026 - 15:13
ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ୱାର୍ଡରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।
ଅନେକ ସ୍ଥାନରେ ବର୍ଷା ପାଣି ଲୋକଙ୍କ ଘରେ ପଶିଯାଇଥିବାରୁ ଦୈନନ୍ଦିନ ଜୀବନ ବ୍ୟାହତ ହୋଇଛି। ଲଗାଣ ବର୍ଷା ଯୋଗୁ ଅନେକ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ସହ କିଛି ଘର ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି। ଘରୋଇ ସାମଗ୍ରୀ ମଧ୍ୟ ପାଣିରେ ନଷ୍ଟ ହୋଇଥିବାରୁ ପ୍ରଭାବିତ ପରିବାରଗୁଡ଼ିକ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।
ପରିସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ବର୍ଷାକୁ ଖାତିର ନ କରି ସହରର ବିଭିନ୍ନ ୱାର୍ଡ ବୁଲି କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ସେ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରି ସମସ୍ୟା ବୁଝିବା ସହ ପ୍ରଶାସନକୁ ଆବଶ୍ୟକ ସହାୟତା ଓ ରିଲିଫ ବ୍ୟବସ୍ଥା ଶୀଘ୍ର ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବର୍ଷା ଜାରି ରହିଥିବାରୁ ସହରବାସୀଙ୍କ ମଧ୍ୟରେ ଆହୁରି ଜଳବନ୍ଦୀ ଓ କ୍ଷୟକ୍ଷତି ନେଇ ଆଶଙ୍କା ପ୍ରକାଶ ପାଇଛି।

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।