ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି
ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ଅଗଷ୍ଟ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ମହାମହିମଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ ଯୋଗେ ଗସ୍ତ କରିବେ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଶୁକ୍ରବାର ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଡିଜିପି ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି କିମ୍ବା ବ୍ୟତିକ୍ରମ ନ ଘଟିବା ପାଇଁ ପ୍ରତ୍ୟେକ ବ୍ୟବସ୍ଥାର ନିୟମିତ ସମୀକ୍ଷା ଓ ତଦାରଖ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କାର୍ଯ୍ୟକ୍ରମ ସ୍ଥଳ ଏବଂ ଭିଭିଆଇପିଙ୍କ ଯାତାୟାତ ମାର୍ଗରେ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବା ସହ ବୈଷୟିକ ଯାଞ୍ଚ ଓ ଆଣ୍ଟି-ସାବୋଟାଜ୍ ଯାଞ୍ଚ ସହ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଳ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସମଗ୍ର ରେଳପଥରେ ପାଟ୍ରୋଲିଂ ଜୋରଦାର କରାଯିବ ଏବଂ ସମସ୍ତ ଲେଭଲ୍ କ୍ରସିଂଗୁଡ଼ିକରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ। ପ୍ଲାଟଫର୍ମ ଡ୍ୟୁଟିରେ ରହିବାକୁ ଥିବା ରେଳବାଇ କର୍ମଚାରୀଙ୍କୁ ପୂର୍ବରୁ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ଡ୍ୟୁଟି ପାସ୍ ପ୍ରଦାନ କରାଯାଉଛି।
ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ କରିବା ପାଇଁ ପୋଲିସ, ରେଳବାଇ ଏବଂ ସାଧାରଣ ପ୍ରଶାସନ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ପୋଲିସ କମିଶନର (ଭୁବନେଶ୍ୱର-କଟକ) ଡଃ ଦେବଦତ୍ତ ସିଂ, ପୂର୍ବତଟ ରେଳବାଇର ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟି କମିଶନର (PCSC) ଆଲୋକ ଭୋରା, ଆଇଜିପି (କେନ୍ଦ୍ରାଞ୍ଚଳ) ସତ୍ୟଜିତ୍ ନାଏକ ଏବଂ ଏସପି (କ୍ରାଇମବ୍ରାଞ୍ଚ) ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଏହାସହ ପଢ଼ନ୍ତୁ : ସହଯୋଗୀଙ୍କ ସହ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ମ୍ୟୁଟେସନ ପାଇଁ ନେଉଥିଲେ ୩୦ ହଜାର ଲାଞ୍ଚ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।