Welcome!

Unlock your personalized experience.
Sign Up

Flood Crisis : ବନ୍ୟା ବିପତ୍ତିରେ ପ୍ରକୃତ ହିରୋ, ଜୀବନ ବଞ୍ଚାଇବାକୁ ଦିନରାତି କରୁଛନ୍ତି ଲଢ଼େଇ

Jul 31, 2026 - 13:07
Flood Crisis : ବନ୍ୟା ବିପତ୍ତିରେ ପ୍ରକୃତ ହିରୋ, ଜୀବନ ବଞ୍ଚାଇବାକୁ ଦିନରାତି କରୁଛନ୍ତି ଲଢ଼େଇ

ଭୁବନେଶ୍ୱର, ୩୧/୦୭ : ଅଗ୍ନିଯୋଦ୍ଧା, ପୁଲିସ ଓ ସ୍ୱେଚ୍ଛାସେବୀ ନିରନ୍ତର ୩ ଦିନ ଧରି ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଦିନରାତି ଏକ କରିଛନ୍ତି। ବନ୍ୟାପାଣି ଘେରରୁ ଅସହାୟ ବ୍ୟକ୍ତି, ରୋଗୀ ଏବଂ ପଶୁଙ୍କୁ ଉଦ୍ଧାର କରୁଛନ୍ତି। ପ୍ରଖର ପାଣି ସୁଅକୁ ଚିରି ଅସହାୟଙ୍କ ନିକଟରେ ଜରୁରୀ ସାମଗ୍ରୀ ଓ ରିଲିଫ୍ ପହଞ୍ଚାଉଛନ୍ତି। ଓଡ୍ରାଫ୍ ଦଳ ଭଦ୍ରକ ଧାମନଗର ବଘୁରୀ ଗାଁରୁ ମିନତୀ ବେହେରା ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ବନ୍ୟାଘେରରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଯାଜପୁର ଦଶରଥପୁର ବ୍ଲକର ତାରାପଡ଼ା ଗ୍ରାମପଞ୍ଚାୟତରୁ ଜଣେ ପକ୍ଷାଘାତ ରୋଗୀଙ୍କୁ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛନ୍ତି । ଧୁଶୁରୀ ଥାନା ଅଧୀନସ୍ଥ ବୈତରଣୀ ନଦୀ ଗର୍ଭର ପ୍ରଖର ସୁଅରୁ ଚତୁର୍ଥ ବାଟାଲିୟନ ଆଇଆର୍ବିଏନ୍ ଯବାନମାନେ ଏକ ମୃତଦେହ ଉଦ୍ଧାର କରିଛନ୍ତି। ସେହି ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇଛି ।

ପ୍ରଥମ ଆଇଆର୍ବିଏନ୍ ଓଡ୍ରାଫ ୟୁନିଟ୍ ପକ୍ଷରୁ କୋରାପୁଟ ଅଞ୍ଚଳର ଉରାଲି, ଇଶ୍ୱରପୁର, ତିହିଡ଼ି ବ୍ଲକରେ ବନ୍ୟାଜଳରେ ଫସିଥିବା ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟାଯାଇଛି । ଅଷ୍ଠମ ବାଟାଲିୟନ ଓଏସ୍ଏପି ଯବାନମାନେ ଭଦ୍ରକ ବାସୁଦେବପୁରରେ ବନ୍ୟା ପ୍ରଭାବିତଙ୍କ ନିକଟରେ ରନ୍ଧା ଖାଦ୍ୟ ପହଞ୍ଚାଇଛନ୍ତି । ଯାଜପୁର ଦଶରଥପୁର ପଞ୍ଚାୟତରୁ ଜଣେ ସାପ କାମୁଡା ରୋଗୀଙ୍କୁ ଉଦ୍ଧାର କରାଯାଇ ମଙ୍ଗଳପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଗତ ୨୪ ଘଣ୍ଟାରେ ମୋଟ ୩୨୩ଜଣ ବ୍ୟକ୍ତି ଓ ୨୭୧ଜଣ ପଶୁଙ୍କ ଜୀବନ ବଞ୍ଚାଇଛନ୍ତି । ମୋଟ ୨୯୪ଟି ଘଟଣାରେ ଅଗ୍ନିଯୋଦ୍ଧାମାନେ ଜରୁରୀ ସହାୟତା ଯୋଗାଇବାରେ ସଫଳ ହୋଇଛନ୍ତି । ସେଥିରୁ ୭୧ଟି ପାଣିରେ ବୁଡିଜନିତ ଅଘଟଣ ଥିଲା ।

ନରସିଂହପୁର ଅଞ୍ଚଳରେ ବନ୍ୟାଘେରରୁ ୨୦୦ଟି ଗୃହପାଳିତ ପଶୁଙ୍କୁ ଉଦ୍ଧାର କରାଯାଇଛି । ସେହିପରି ୧୨୨ଟି ଜାଗାରେ ଅଗ୍ନିଯୋଦ୍ଧାମାନେ ରାସ୍ତାରୁ ଗଛ କାଟିବା ସହ ରାସ୍ତା ସଫା କରିଛନ୍ତି । ବର୍ତ୍ତମାନ ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ସମ୍ବଲପୁର, କୋରାପୁଟ ଜିଲ୍ଲାରେ ଏହି ଉଦ୍ଧାର କାର୍ଯ୍ୟ ଆଗେଇଚାଲିଛି। ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ୍ ଫୋର୍ସ (ଓଡ୍ରାଫ) ଓ ଓଡ଼ିଶା ସ୍ପେଶାଲ୍ ଆର୍ମଡ୍ ପୁଲିସ୍ (ଓଏସଏପି) ଏବଂ ଇଣ୍ଡିଆ ରିଜର୍ଭ ବାଟାଲିୟନ୍ (ଆଇଆରବି)ର ଯବାନମାନେ ଉଦ୍ଧାର ଚଳାଇଛନ୍ତି।

ଆହୁରି ପଢନ୍ତୁ- Flood Update : ମହାନଦୀରେ ପାଣି ବଢୁଛି, ଆହୁରି ଖୋଲାହେବ ହୀରାକୁଦ ଗେଟ୍... ୪ ଜିଲ୍ଲାକୁ ଆଲର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।