01 AUGUST 2026

Welcome!

Unlock your personalized experience.
Sign Up

ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

Jul 31, 2026 - 23:36
ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

ନୂଆଦିଲ୍ଲୀ / ଭୁବନେଶ୍ୱର : ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ‘ ଷ୍ଟାର୍ଟଅପ୍ ଓଡ଼ିଶା’ ସହଯୋଗରେ ଆଗକୁ ବଢ଼ୁଥିବା ତିନିଟି ଷ୍ଟାର୍ଟଅପ୍ ଶୁକ୍ରବାର ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ଭାଗନେଇ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କରିଛନ୍ତି । ଏହି ସୁଯୋଗ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରେ ରହିଛି ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ, ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ଏବଂ ଅର୍ବାନ୍-ହାଇଫି ବାୟୋସାଇନ୍ସ । ଏହି ନବସୃଜନ ଅଧାରିତ ଷ୍ଟାର୍ଟଅପ୍ ଉଦ୍ୟୋଗର ପ୍ରତିଷ୍ଠାତାମାନେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ନିଜ ନିଜର ଉତ୍ପାଦ ଉପସ୍ଥାପନ କରିବାର ସୁଯୋଗ ପାଇ ଥିଲେ। ‘ ଅଟଳ ଇନୋଭେସନ ମିଶନ’ ଅଧୀନରେ ଦେଶର ବିଭିନ୍ନ ସ୍ଥାନରୁ ଚୟନ ହୋଇ ଆସିଥିବା ତୃଣମୂଳ ସ୍ତରର ଏହି ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ଓଡ଼ିଶାର ତିନି ଉଦ୍ୟୋଗୀ ସାମିଲ ହୋଇଥିଲେ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଭାରତ ଏକ ବିକଶିତ ଓ ଦୃଢ଼ ଅର୍ଥନୀତି ଭାବେ ଗଢ଼ି ଉଠୁଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ନବସୃଜନର କେନ୍ଦ୍ର ପାଲଟିଛି। ତେଣୁ ଜାତୀୟ ସ୍ତରରେ ଓଡ଼ିଶାର ଷ୍ଟାର୍ଟଅପ୍ ଗୁଡ଼ିକୁ ମିଳି ଥିବା ଏହି ସ୍ୱୀକୃତି କେବଳ ସେମାନଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟକୁ ଦର୍ଶାଉଛି। ରାଜ୍ୟର ଯୁବ ଉଦ୍ୟୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହା କହିଛନ୍ତି। ରାଜ୍ୟର ଯୁବ ଉଦ୍ୟୋଗୀ ତଥା ନବସୃଜନକାରୀଙ୍କ ଭିତରେ ଥିବା ଅନନ୍ୟ ପ୍ରତିଭାକୁ ବିକଶିତ କରିବାରେ ‘ଓଡ଼ିଶା ଷ୍ଟାର୍ଟଅପ୍ ନୀତି’ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଫଳରେ ଓଡ଼ିଶାର ଷ୍ଟାର୍ଟଅପ୍‌ ଗୁଡ଼ିକ ଲଗାତାର ଜାତୀୟ ସ୍ତରରେ ସଫଳତା ହାସଲ କରିବା ସହ ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା କହିଛନ୍ତି।

ଯୁବ ଓ ମହିଳା ଉଦ୍ୟୋଗୀମାନଙ୍କ ସୃଜନଶୀଳ ଚିନ୍ତାଧାରାକୁ ଆଗକୁ ନେବା ପାଇଁ ଓଡ଼ିଶା ଏକ ସଶକ୍ତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଗଢ଼ି ତୋଳୁଛି। ଅଭିନବ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗୀଙ୍କ ଭିତରେ ନୂତନ ଉତ୍ସାହ ଓ ଅତ୍ମବିଶ୍ୱାସ ସୃଷ୍ଟି କରିବାକୁ ଯାଇ ‘ଷ୍ଟାର୍ଟଅପ୍ ଓଡ଼ିଶା’ ମାଧ୍ୟମରେ ଆର୍ଥିକ ସହାୟତା ଓ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ବୋଲି ଷ୍ଟାର୍ଟଅପ୍ ଓଡ଼ିଶା ସିଇଓ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି।

 

ଶୀତଲ ଜିମାନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ଅତ୍ୟାଧୁନିକ ଅଟୋମେଟେଡ୍ ଏବଂ ରୋବୋଟିକ୍ ଉପକରଣ ବିକାଶ କରାଯାଉଛି। ଏହି ଷ୍ଟାର୍ଟଅପ୍ ସ୍ୱୟଂଚାଳିତ ଟ୍ରାନ୍ସଫର୍ମେବଲ୍ ବେଡ୍-ଚେୟାର ଓ ଏକ୍ସୋସ୍କେଲେଟନ୍ ଭଳି ଆଧୁନିକ ଉତ୍ପାଦ ପ୍ରସ୍ତୁତ କରୁଛି।

 

ଅନୁପ ପାଇକରାୟଙ୍କ ଦ୍ୱାରା ସ୍ଥାପିତ ଓଡ଼ିଶାର ଷ୍ଟାର୍ଟଅପ୍ ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ପକ୍ଷରୁ ପ୍ରସ୍ତୁତ ଉତ୍ପାଦ ‘ଚୁଲିଭ୍’ ପାରମ୍ପରିକ ରୋଷେଇ ବ୍ୟବସ୍ଥାକୁ ଏକ ଆଧୁନିକ ରୂପ ଦେଇଛି। ଏହା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହ ସ୍ୱାସ୍ଥ୍ୟକର ପରିବେଶ ଓ ଇନ୍ଧନ ସଞ୍ଚୟକାରୀ ରୋଷେଇ ପ୍ରଣାଳୀକୁ ପ୍ରୋତ୍ସାହିତ କରୁଛି । ସେହିପରି ଅଧିରାଜ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଅର୍ବାନ୍-ହାଇଫି ବାୟୋସାଇନ୍ସ ପକ୍ଷରୁ କୃଷି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ପରିବେଶ ଅନୁକୂଳ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଏହି ଷ୍ଟାର୍ଟଅପ ଛତୁରୁ ଆଧୁନିକ-ଚମଡ଼ା ବିକଶିତ କରି ବଜାର ପାଇଁ ପ୍ରାଣୀ ଚମଡ଼ାର ବିକଳ୍ପ ସୃଷ୍ଟି କରିଛି ।

 

ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବା, ଉଦ୍ୟୋଗୀମାନଙ୍କୁ ସହାୟତା ଓ ପ୍ରୋତ୍ସାହନ ପ୍ରଦାନ କରିବା ସହ ସେମାନଙ୍କ ଉଦ୍ଭାବନକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ‘ଷ୍ଟାର୍ଟଅପ୍ ଓଡ଼ିଶା’ ନିରନ୍ତର ପ୍ରୟାସ କରୁଛି। ତେଣୁ, ଜାତୀୟ ସ୍ତରରେ ପ୍ରଦର୍ଶିତ ଏହି ଷ୍ଟାର୍ଟଅପଗୁଡ଼ିକର ସଫଳତା ରାଜ୍ୟର ଯୁବ ଉଦ୍ୟୋଗୀ ତଥା ନବସୃଜନକାରୀଙ୍କ ଭିତରେ ଆଗାମୀ ଦିନରେ ନୂଆ ଉତ୍ସାହ ସୃଷ୍ଟି କରିବ ।

ଆହୁରି ମଧ୍ୟ ପଢନ୍ତୁ - India statement on PoK : ୪୦ରୁ ଅଧିକ ନିର୍ଦ୍ଦୋଷ ଲୋକଙ୍କ ହୋଇଛି ମୃତ୍ୟୁ, ପାକିସ୍ତାନ କାର୍ଯ୍ୟର ତଦନ୍ତ ହେବା ଉଚିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।